ବରଗଡ: ସର୍ବବୃହତ ଖୋଲା ରଙ୍ଗମଞ୍ଚ ବରଗଡ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଗୁରୁତ୍ବପୂର୍ଣ୍ଣ ଦିନ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା ଚାଲିଥିବାବେଳେ ଦୈବବାଣୀରେ ବ୍ୟସ୍ତବିବ୍ରତ ହୋଇପଡୁଥିବା ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛି ଷଡଯନ୍ତ୍ର । ଆୟୋଜନ କରିଛି ରଙ୍ଗସଭା ।
ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଞ୍ଚଭରା । ମଥୁରା ନରେଶ ମହାରାଜ କଂସଙ୍କୁ ବିବ୍ରତ କରି ପକାଉଛି ସେହି ଦୈବବାଣୀ । ‘ତତେ ମାରିବ ଯିଏ ଗୋପରେ ବଢୁଛି ସିଏ’, ଏହି ଦୈବବାଣୀ ମନେ ପଡିଯାଉଛି କଂସର । ଆଉ ଏହାପରେ ମହାରାଜ କଂସ, ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛି ଷଡଯନ୍ତ୍ର ଏବଂ ଆୟୋଜନ କରିଛି ରଙ୍ଗସଭା । ପାତ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରି ଆୟୋଜନ କରିଛି ଏହି ରଙ୍ଗସଭା ।
ଏହି ରଙ୍ଗସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ଆସିଛନ୍ତି ମଥୁରା ରାଜଦରବାରକୁ । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଳ, ନରକାସୁର ପରି ବଡ ବଡ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ବାସନା ଦେଇଛନ୍ତି । କୃଷ୍ଣଙ୍କୁ ମାରିବା ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସକୁ ଚିନ୍ତାରେ ପକାଇ ଦେଇଛି । ବାରମ୍ବାର କୃଷ୍ଣ ନାମ ଶୁଣିବାକୁ କଂସ ବାରଣ କରି ଭଣଜାକୁ କଳେବଳେ କୌଶଳେ ମାରିବାକୁ ଯୋଜନା କରିଛି ।