ବରଗଡ:ସାରା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କ୍ୟାନ୍ସର ରୋଗ । ଗ୍ରାମାଞ୍ଚଳ ଠାରୁ ନେଇ ସହରରେ ବ୍ୟାପକ ବେଗରେ ବଢି ଚାଲିଛି କ୍ୟାନ୍ସର ରୋଗରେ ପୀଡିତଙ୍କ ସଂଖ୍ୟା । ଏନେଇ ଗତକାଲି(ରବିବାର) ବରଗଡର ସ୍ଥାନୀୟ ସ୍ବୟଂସିଦ୍ଧା ଭବନ ଠାରେ କ୍ୟାନ୍ସର ଭଲିଣ୍ଟିଅର ଓଡିଶା (CVO)ର ରାଜ୍ୟସ୍ତରୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବାଧିକ ବରଗଡ ଜିଲ୍ଲାରେ କ୍ୟାନ୍ସର ରୋଗରେ ପୀଡିତଙ୍କ ସଂଖ୍ୟା ଅଧିକ ରହିଛି । ଏନେଇ ବରଗଡ ଜିଲ୍ଲାର କ୍ୟାନ୍ସର ସରଭାଇଭରଙ୍କ ଦ୍ଵାରା ଗଠିତ "ଫାଇଟର୍ସ ଗ୍ରୁଫ" ସୁସ୍ଥ ସମାଜକୁ ସଚେତନ କରିବା ସହିତ କିପରି ଅନ୍ୟ କ୍ୟାନ୍ସର ରୋଗୀଙ୍କୁ ଓ ତାଙ୍କ ପରିବାରକୁ ଆର୍ଥିକ, ମାନସିକ ଓ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ କରିପାରିବେ ସେନେଇ ନିଆରା ପ୍ରୟାସ ଜାରି ରଖିଛି ।
କ୍ୟାନ୍ସର ସହିତ ଲଢେଇ କରିବାକୁ ହେଲେ ବ୍ୟାପକ ସଚେତନତା ସହିତ କ୍ୟାନ୍ସର ରୋଗର ଶୀଘ୍ର ଚିହ୍ନଟିକରଣ ଓ କ୍ୟାନ୍ସର ପୀଡିତ ପରିବାରକୁ ସଠିକ ଚିକିତ୍ସାର ମାର୍ଗ ଦେଖାଇବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ । ତେଣୁ ବରଗଡର "ଫାଇଟର୍ସ ଗ୍ରୁଫ" ଓ "ଉମିଦେ" ପକ୍ଷରୁ ସାରା ଓଡିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ସଂଗଠନମାନଙ୍କୁ ନେଇ ଭଲିଣ୍ଟିଅର ଓଡିଶାର ରାଜ୍ୟସ୍ତରୀୟ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ୟାନ୍ସର ରୋଗୀଙ୍କ ସାହାଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ସଂଗଠନ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କ୍ୟାନ୍ସର ରୋଗୀଙ୍କ ପାଇଁ କଣ ସବୁ ସୁବିଧା ଏବଂ ସଚେତନ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ ଏହି ବୈଠକରେ ।