ବରଗଡ: ଗତକାଲି(ଶୁକ୍ରବାର) ଜିଲ୍ଲାର ଅତାବିରା ଠାରେ ସଡକ ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ 2 ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜାଳିଦେବାକୁ ଉଦ୍ୟମ କରିଥିଲେ ମାତ୍ର ପୋଲିସ ଘଟଣା ସ୍ଥଳକୁ ସଙ୍ଗେ ସଙ୍ଗେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।
ସୂଚନାଅନୁଯାୟୀ ଗତକାଲି (ଶୁକ୍ରବାର) ଅପରାହ୍ନ ସମୟରେ ଅତାବିରା ଆନନ୍ଦ ମଣ୍ତପ ସମ୍ମୁଖରେ ଏକ ଟ୍ରକ ଦୁର୍ଘଟଣା ଘଟାଇଥିଲା । ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଆନନ୍ଦ ମଣ୍ତପ ସ୍ଥିତ କୋବେଟା ସୋରୁମ ସମ୍ମୁଖରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଯୋଗୁଁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେହେରା ଗାଁର ଚିକୁ ସାହୁ ଓ ନାରାୟଣ ସେଟ । ଗୋଟିଏ ଟ୍ରକ ବରଗଡରୁ ସମ୍ବଲପୁର ପାତକୁ ଯାଉଥିବା ସମୟରେ କୋବେଟା ସୋରୁମ ସମ୍ମୁଖରେ ଛିଡା ହୋଇଥିବା ଗୋଟିଏ କାରକୁ ଓ କୋବେଟା ଧାନକଟା ଗାଡି ଓହ୍ଲାଉଥିବା ଗୋଟିଏ ଟ୍ରାକ୍ଟରକୁ ଧକ୍କା ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ..ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ, ଗୋଟିଏ ପରିବାରର 6 ମୃତ
ଘଟଣା ସ୍ଥଳରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଟ୍ରକ ଡ୍ରାଇଭର ଜଣକ ଟ୍ରକ ଛାଡି ଖସି ପଳାଇବାରେ ସଫଳ ହୋଇଥିଲା । ଫଳରେ ଉତ୍ୟକ୍ତ ଲୋକେ ଟ୍ରକଟିକୁ ଜାଳିବାକୁ ଉଦ୍ୟମ କଲାବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା ଅତାବିରା ପୋଲିସ । ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏହା ସହ ଟ୍ରକଟିକୁ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଟ୍ରକ ଡ୍ରାଇଭର ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ନିକଟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ମୃତକ ଯୁବକ ହେଲେ ଲକ୍ଷ୍ମୀକାନ୍ତ କହଁର । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥକୁ ଟାୟାର ଜାଳି ରାତ୍ର ୮ ଟାରୁ ସକାଳ ୪ ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଥିଲା।
ଇଟିଭି ଭାରତ,ବରଗଡ