ବାଲେଶ୍ବର:ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ୟାୟ, ଅନୀତି ଓ ଅମାନବିକତା ବିରୋଧରେ ଭୋଗରାଇ କାହ୍ନୁପୁର ନୋଡାଲ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ଗ୍ରାମବାସୀ ଆମରଣ ଅନଶନରେ ବସିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଡିଇଓଙ୍କ ବ୍ୟବହାର ପ୍ରତିବାଦରେ ଏମିତି ଆମରଣ ଅନଶନ କରାଯାଇଛି ।
ସୂଚନା ଅନୁସାରେ, କାହ୍ନୁପୁର ସ୍କୁଲ ପରିଚାଳନା କମିଟି ଗଠନ ସମ୍ପର୍କରେ ବାରମ୍ବାର ବୈଠକ ତାରିଖ ବାତିଲ ହେବା ପରେ ଗତ ୨୯/୧୦/୨୦୨୨ ତାରିଖରେ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍କୁଲରେ ପାଠ ପଢୁଥିବା ସମୁଦାୟ ୭୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବୈଠକରେ ୫୮ଜଣ ଛାତ୍ର ଅଭିଭାବକ ଉପସ୍ଥିତ ଥିଲେ । ଯେଉଁ ବୈଠକରେ ଭୋଗରାଇ ବିଇଓ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଶିକ୍ଷା ବିଭାଗର ସମସ୍ତ ନୀତି ନିୟମ ଅନୁଯାୟୀ କୋରମ ହୋଇଥିବାରୁ ପରିଚାଳନା କମିଟି ଗଠନ ହୋଇଥିଲା ।
ତେବେ ଏ ସମ୍ପର୍କରେ ଭୋଗରାଇ ବିଇଓ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ବୈଠକ ସମାପ୍ତ ହୋଇଥିଲା । ମାତ୍ର ଏହି ପରିଚାଳନା କମିଟିକୁ ଅବୈଧ ବୋଲି ଦର୍ଶାଇ କିଛି ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଭୋଗରାଇ ବିଇଓଙ୍କ ନିକଟରୁ କୌଣସି କାଗଜପତ୍ର ନଦେଖି ତତ୍କ୍ଷଣାତ୍ ଅଦୃଶ୍ୟ ଶକ୍ତିର ଚାପରେ ରେମୁଣା ବିଇଓଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ । ରେମୁଣା ବିଇଓ ତଦନ୍ତ କରିବାକୁ ଗଲେ, ମାତ୍ର କେବଳ ଅଭିଯୋଗକାରୀଙ୍କ କଥା ଶୁଣିଲେ ବୋଲି ଅନଶନକାରୀ ଅଭିଯୋଗ କରିଛନ୍ତି।