ଓଡିଶା

odisha

ETV Bharat / state

ପଲିଥିନ ତଳେ ବନ୍ଧା ଜୀବନ, ସହାୟତା ଅପେକ୍ଷାରେ 2 ପରିବାର

ଶୋଚନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ଅଧିନସ୍ଥ ଟେଙ୍ଗରାମାରୀ ଗାଁର 6 ନଂ ୱାର୍ଡର ଅନୀଲ ପାତ୍ର ଏବଂ ଜୟରାମପୁର ଗାଁର 8 ନଂ ୱାର୍ଡର ପଙ୍କଜ ପାଣିଗ୍ରାହୀ । ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ନଥିବା ବେଳେ ପଲିଥିନ ପାଲଟିଛି ସାହାରା । ପଢନ୍ତୁ ସମ୍ପର୍ଣ୍ଣ ଘଟଣା ।

ଡିଜାଇନ ଫଟୋ

By

Published : Jun 27, 2019, 8:04 PM IST

ବାଲେଶ୍ବର: ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା କୁଡିଆ ସାହା । ନା ଅଛି ଛାତ ନା କାନ୍ଥ । ଖୋଲା ଆକାଶ ତଳେ ଜଳୁଛି ଚୁଲି । ଆଉ ପଲିଥିନ ପାଲଟିଛି ଏକମାତ୍ର ସାହାରା । ଖରାଦିନ ତ ଯେମିତି ସେମିତି କଟିଲା ଏବେ ବର୍ଷା ଋତୁ ଆସିବା ପରେ ଆଖିରୁ ନିଦ ହଜିଯାଇଛି । ଏଭଳି ଶୋଚନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ଅଧିନସ୍ଥ ଟେଙ୍ଗରାମାରୀ ଗାଁର 6 ନଂ ୱାର୍ଡର ଅନୀଲ ପାତ୍ର ଏବଂ ଜୟରାମପୁର ଗାଁର 8 ନଂ ୱାର୍ଡର ପଙ୍କଜ ପାଣିଗ୍ରାହୀ । ଏହି ସମସ୍ୟା ନେଇ RI ବାବୁଙ୍କୁ ଯେତେ ଗୁହାରି କଲେ ମଧ୍ୟ ଦେଖିବାକୁ କେହି ଆସିନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପଲିଥିନ ତଳେ ଦିନ କାଟୁଥିବା ଅନିଲ ଜଣେ ଦିନ ମଜୁରିଆ ତ ପଙ୍କଜ ପେଷାରେ ମନ୍ଦିର ପୂଜକ । ସେପଟେ ଗୃହପାଳିତ ପଶୁ ରଖି ପେଟପାଟଣା କରୁଥିବା ଅନିଲଙ୍କ ପରିବାରକୁ ଦାଉ ସାଜିଲା ବାତ୍ୟା ଫନି । ଗାଇ, ଛେଳି ହରାଇଥିବା ଅନିଲଙ୍କୁ ଏଯାଏଁ ମିଳିନି କ୍ଷତିପୂରଣ । ଦୁଇ ପରିବାରର ପିଲାଙ୍କ ମଧ୍ୟରୁ କିଏ ପାଠପଢା ଛାଡି ଦାଦନ ଖଟିବାକୁ ଯାଇଛି ତ କିଏ ପୁଣି ଭିନ୍ନକ୍ଷମ । ଓଳିଏ ଖାଇଲେ ଦୁଇଓଳି ଚୁଲି ଜଳେନି । ସେପଟେ ସ୍ଥାନୀୟ ସରପଞ୍ଚ ଦୀପ୍ତି ରାଣୀ ମିଶ୍ର ଉଭୟ ପରିବାରଙ୍କ ସମେତ ବହୁ ହିତାଧିକାରୀଙ୍କ ନାମ ଆବାସ ଯୋଜନା ତାଲିକାରେ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ।

ପ୍ରକୃତ ହିତାଧିକାରୀଙ୍କୁ କେବେ ମିଳିବ ସେମାନଙ୍କ ହକ ? ଅନ୍ୟପଟେ ଅଧିକ ଅନୁଦାନ ମିଳିଲେ ସମସ୍ତଙ୍କୁ ଘର ଖଣ୍ଡିଏ ମିଳିପାରିବ ବୋଲି ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସରପଞ୍ଚ ଦିପ୍ତି ରାଣୀ ମିଶ୍ର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details