ବାଲେଶ୍ବର: ତାଙ୍କ ହାତରେ ନିର୍ଜୀବ ପଥର ପାଉଛି ଜୀବନ୍ୟାସ। ନିହାଣ ମୁନରେ ସୁନ୍ଦର ହେଉଛି ପ୍ରତିଟି ମୂର୍ତ୍ତି। ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଗଢି ସେ ପାଇଛନ୍ତି ଅନେକ ପୁରସ୍କାର। ଜଣେ ମହିଳା କୁଶଳୀ କାରିଗର ଭାବରେ ଖଣ୍ଡମଣ୍ଡଳରେ ଅର୍ଜନ କରିଛନ୍ତି ଅନେକ ସୁନାମ। ଏ ହେଉଛନ୍ତି ବାଲେଶ୍ଵର ଔପଦା ବ୍ଲକ ବଉଳଗଢିଆ ଗାଁର ସରସ୍ବତୀ ମହାପାତ୍ର। ସକାଳର ପହିଲି କିରଣ ଧରାପୃଷ୍ଠକୁ ଛୁଇଁବା ପରଠୁ ସନ୍ଧ୍ୟାଧୂପ ଯାଏଁ ସରସ୍ବତୀ ନିଜ ମୂର୍ତ୍ତି କାରଖାନାରେ ବ୍ୟସ୍ତ ହୋଇଯାଆନ୍ତି। ଜଣେ ଗୃହିଣୀର ଦାୟିତ୍ବ ତୁଲାଇବା ପରେ ମୁଗୁନି ପଥରରେ ଆରମ୍ଭ କରିଦିଅନ୍ତି କାରୁକାର୍ଯ୍ୟ । ତାଙ୍କ କାରିଗରୀ ଯେ କେବଳ ବାଲେଶ୍ବରରେ ଆଦୃତ ହୋଇଛି ତାହା ନୁହେଁ ବରଂ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରଶଂସା ସାଉଁଟୁଛି।
1983 ମସିହାରେ ସରସ୍ବତୀ ପଥରରେ ମୂର୍ତ୍ତି ତିଆରି କରିବାର ଆଗ୍ରହ ପ୍ରକାଶ କରି ସରକାରୀ ସ୍ତରରେ ତାଲିମ ନେଇଥିଲେ। ବାସ ସେହିଦିନ ଠାରୁ ସେ ଆରମ୍ଭ କରିଥିଲେ ଏମିତି କାରୁକାର୍ଯ୍ୟ। ତାଙ୍କ ମୂର୍ତ୍ତି କାରଖାନାରେ ସେ 30ରୁ ଅଧିକ ଲୋକଙ୍କୁ ଦେଇଛନ୍ତି ନିଯୁକ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ମେଳା ଓ ପ୍ରଦର୍ଶନୀରେ ସେ ଭାଗନେଇ ପାଇଛନ୍ତି ଅନେକ ପୁରସ୍କାର। ତାଙ୍କର ଏମିତି କାରୁକାର୍ଯ୍ୟ ଦେଖି ଅନେକ ସଂସ୍ଥା ତାଙ୍କ ଠାରୁ ମୂର୍ତ୍ତି କିଣି ବିଦେଶକୁ ରପ୍ତାନି ମଧ୍ୟ କରୁଛନ୍ତି।