ବାଲେଶ୍ଵର:ବାହାନଗାରେ ଗତ 2 ତାରିଖରେ ହୋଇଥିବା ରେଳ ଦୁର୍ଘଟଣାରେ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟରେ ମାନବିକତା ଦେଖାଇଥିଲେ ବାହାନଗାବାସୀ । ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଘୋଷଣା ହେଲା 2 କୋଟି ଟଙ୍କାର ଅନୁଦାନ । ରେଳବାଇ ପକ୍ଷରୁ 1 କୋଟି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସାଂସଦ ପାଣ୍ଠିରୁ 1 କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଛି । ଏନେଇ ନିଜେ ରେଳମନ୍ତ୍ରୀ ବୈଷ୍ଣବ ବାହାନଗାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ।
ଆଜି ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପହଞ୍ଚାଇବାରେ ଅଞ୍ଚଳବାସୀଙ୍କ ଉଦ୍ୟମ ବିଶ୍ୱସ୍ତରରେ ବେଶ ପ୍ରଶଂସିତ ହୋଇଥିଲା । ଏମିତିକି ରେଳ ଧାରଣାରୁ ବଗି ଉଠିବା ଓ ରେଳ ଲାଇନ କାମ ହେଉଥିବା ବେଳେ ମଧ୍ୟ ଅଞ୍ଚଳବାସୀ ପାଣି ଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଯୋଗାଇ ଦେଇ ମାନବିକତାକୁ ପ୍ରତିପାଦିତ କରିଥିଲେ । ଏହି କାର୍ଯ୍ୟ ବେଶ ପ୍ରଶଂସିତ ହୋଇଥିବା ବେଳେ ଆଜି (ମଙ୍ଗଳବାର) ବାହାନଗା ରେଳ ଷ୍ଟେସନରେ ଏନେଇ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇଥିଲେ ।
ରେଳମନ୍ତ୍ରୀ କହିଥିଲେ, ଏହି ଉଦ୍ଧାର କାର୍ଯ୍ୟ ସମଗ୍ର ବିଶ୍ବକୁ ଚକିତ କରିଛି । ଖଵରପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ପରିସ୍ଥିତି ଦେଖିବା ସହିତ ମୃତକଙ୍କୁ ସମବେଦନା ଜଣାଇଥିଲେ । ଆହୁରି ମଧ୍ୟ ବାହାନଗାବାସୀ ଓ ବାଲେଶ୍ଵର ଜିଲ୍ଲାବାସୀ ଉଦ୍ଧାର କାର୍ଯ୍ୟ ଯେଉଁ ପ୍ରକାର ଥିଲା ତାହା ଆଜି ସାରା ଦେଶକୁ ଚକିତ କରିଛି ବୋଲି ରେଳମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିସହ ରେଳମନ୍ତ୍ରୀ ନିଜସ୍ୱ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ବାହାନଗା ଅଞ୍ଚଳର ବିକାଶ ପାଇଁ ପ୍ରଦାନ କରିଥିବା ବେଳେ ବାହାନଗା ଡାକ୍ତର ଖାନାର ଉନ୍ନତି ପାଇଁ ୧ କୋଟି ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିଲେ ।