ବାଲେଶ୍ବର: କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ପ୍ରସ୍ତୁତ କରୁଛନ୍ତି ମାଳମାଳ ଯୋଜନା । ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଗରୀବ ଲୋକଙ୍କ ପାଖରେ ସରକାରୀ ଯୋଜନା ଏବେବି ଅପହଞ୍ଚ । ଗ୍ରାମାଞ୍ଚଳରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ଜନ୍ମରୁ ବାକଶକ୍ତି ହରାଇଥିବା ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ଯେମିତି ଆଖି ବୁଜି ଦେଇଛି ପ୍ରଶାସନ । ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଖମଟଣା ଗ୍ରାମର ବାବୁରାମ ସାହୁଙ୍କ ପୁଅ ବିଶ୍ୱେଶ୍ୱରଙ୍କ କଥା ।
ବିଶ୍ୱେଶ୍ୱର ଅକ୍ଟୋବର ୨୦୦୨ ମସିହାରେ ଜନ୍ମ ହୋଇଥିଲେ । ଏବେ ତାଙ୍କୁ ୨୧ ବର୍ଷ ବୟସ । ବୟସ ଅତିକ୍ରମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଥା କହିବାରେ ସେ ସକ୍ଷମ ହୋଇପାରିନାହାନ୍ତି । ଏବେ ସେ ପରିବାରର ବୋଝ ହାଲୁକା କରିବା କଥା । ମାତ୍ର ଭିନ୍ନକ୍ଷମ ଯୋଗୁଁ ତାଙ୍କୁ ନା କେଉଁଠି ନିଯୁକ୍ତି ମିଳୁଛି ନା କୌଣସି ରୋଜଗାର । ବାବୁରାମ ଅତ୍ୟନ୍ତ ଗରୀବ ପରିବାରର ଲୋକ ହୋଇଥିବାରୁ ମୁଲ ମଜୁରୀ ଲାଗି ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ବିଶ୍ୱେଶ୍ୱରଙ୍କ ବାପା ବାବୁରାମ ସାହୁ ଓ ମାଆ ସୁକାନ୍ତି ସାହୁ ମୁଲ ମଜୁରୀ ଲାଗି କଷ୍ଟେମଷ୍ଟେ ପରିବାର ଚଳାଉଥିବା ବେଳେ ପୁଅ ଚିନ୍ତା ତାଙ୍କ ଦୁଃଖକୁ ଆହୁରି ଦ୍ବିଗୁଣିତ କରୁଛି ।