ଓଡିଶା

odisha

ETV Bharat / state

ସାପ କାମୁଡାରେ ଛାତ୍ର ମୃତ: 2 ନିଲମ୍ବିତ, ଜଣଙ୍କର ଦରମା ବନ୍ଦ

ଜଳେଶ୍ବର ବ୍ଲକ ରାଜନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ଅବହେଳା ଯୋଗୁଁ ପ୍ରଧାନଶିକ୍ଷକ ଶ୍ରୀହରି ଦାସ ଓ ସହକାରୀ ଶିକ୍ଷକ ଗଜେନ୍ଦ୍ର ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜଳେଶ୍ବର ବିଇଓ ବିଜୟ କୁମାର ନାଥ ।

By

Published : Mar 26, 2019, 11:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜଳେଶ୍ବର ବ୍ଲକ ରାଜନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ଉତ୍ତ୍ୟକ୍ତ ହୋଇ ସ୍କୁଲରେ ଭଙ୍ଗାରୁଜା କରିବା ସହ ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିଥିଲେ । ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ଅବହେଳା ଯୋଗୁଁ ପ୍ରଧାନଶିକ୍ଷକ ଶ୍ରୀହରି ଦାସ ଓ ସହକାରୀ ଶିକ୍ଷକ ଗଜେନ୍ଦ୍ର ମଲ୍ଲିକଙ୍କୁ ନିଲମ୍ବିତ କରିଛନ୍ତି ଜଳେଶ୍ବର ବିଇଓ ବିଜୟ କୁମାର ନାଥ । ଏଥିସହ ଜଣେ ସହକାରୀ ଶିକ୍ଷକ ବୃନ୍ଦାବନ ସେଠୀଙ୍କ ଦରମା ମଧ୍ୟ ବନ୍ଦ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ରାଇବଣିଆ ଥାନା ଓଲମରା ପଞ୍ଚାୟତ ରାଜନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଶ୍ରେଣୀ କୋଠରୀ ଭିତରେ ୨ୟ ଶ୍ରେଣୀ ଛାତ୍ର ଅକ୍ଷୟ ନାୟକଙ୍କୁ ଗୋଟିଏ ବିଷଧର ସାପ କାମୁଡିଥିଲା । ସ୍କୁଲରେ ଅକ୍ଷୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଜଳେଶ୍ବର ମେଡିକାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସକାଳେ ସ୍କୁଲ ଖୋଲିବା ମାତ୍ରେ ଗ୍ରାମବାସୀ ଓ ଅଭିଭାବକମାନେ କ୍ଷତିପୂରଣ ଦାବିରେ ସ୍କୁଲ ଘେରାଉ କରିଥିଲେ । ପରେ ହଠାତ୍‌ ଲୋକମାନେ ଉତ୍‌କ୍ଷିପ୍ତ ହୋଇ ବିଦ୍ୟାଳୟ ପରିସରରେ ମାଡପିଟ ଓ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଏମିତିକି ସ୍କୁଲ ଶିକ୍ଷକଙ୍କୁ ଲୋକେ ଗୋଡ଼ାଇ ଗୋଡାଇ ମାଡ଼ ମଧ୍ୟ ମାରିଥିଲେ । ଏଥିସହ ପ୍ରଶାସନକୁ ଗାଳି ଗୁଳଜ କରିବା ସହ ସେଠାକୁ ଯାଇଥିବା ସିଆରସିସିଙ୍କୁ ଅଟକ ରଖିଥିଲେ ।

ପରିସ୍ଥିତି ଅଣାୟତ୍ତ ହେବାରୁ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଏକ ଶ୍ରେଣୀ କୋଠରୀ ଭିତରେ ରଖି ସୁରକ୍ଷା ଦିଆଯାଇଥିଲା । ଲୋକଙ୍କ ମାଡ଼ ଭୟରେ ଶିକ୍ଷକମାନେ କେହି ବାହାରକୁ ବାହାରି ନ ଥିଲେ । ତେବେ ରାଇବଣିଆ ପୋଲିସ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ପ୍ରକାଶ ଯେ ସମ୍ପୃକ୍ତ ବିଦ୍ୟାଳୟରେ 381ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ଶ୍ରେଣୀ କୋଠରୀର ଅବସ୍ଥା ଅତି ସଙ୍ଗୀନ । ଏହା ପୂର୍ବରୁ ସ୍କୁଲରେ ସାପ ବାହାରିଥିବାର ନଜିର ରହିଛି ବୋଲି ଲୋକମାନେ ଅଭିଯୋଗ ମଧ୍ୟ କରିଛନ୍ତି । ଏଥିପାଇଁ ସ୍କୁଲର ଫଟା କାନ୍ଥ ଦାୟୀ ହୋଇଥିବାବେଳେ ଏହାର ମରାମତି ଦିଗରେ ପ୍ରଶାସନ ଯତ୍ନବାନ ନୁହେଁ ବୋଲି ଅଭିଯୋଗ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details