ବାଲେଶ୍ବର: ଟଙ୍କା ମାଗିବା ଅଭିଯୋଗରେ ନର୍ସଙ୍କୁ ମାଡ । ବାଲେଶ୍ୱର ମେଡିକାଲରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରୋଗୀଙ୍କୁ ଟଙ୍କା ମାଗି ନର୍ସ ମାଡ଼ ଖାଇବା ପରେ ଏହାର ପ୍ରତିବାଦରେ ନର୍ସମାନେ ସାମୁହିକ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସେପଟେ ଏ ନେଇ ମେଡିକାଲରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜନୈକ ମହିଳାଙ୍କ ପ୍ରସବ ପରେ ସେଠାରେ କାର୍ଯ୍ୟରତ ନର୍ସ ରିତା ହାତୀ ପରିବାର ଲୋକଙ୍କୁ 15 ଶହ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ଏତେ ଟଙ୍କା ଦେଇ ପାରିବେନି ବୋଲି ପରିବାର ଲୋକେ କହିବା ପରେ ଏକ ହଜାର ଟଙ୍କା ଦେବା ପାଇଁ ନର୍ସ ଦାବି କରିଥିଲେ। ପରିବାର ଲୋକେ 3 ଶହ ଟଙ୍କା ଦେବା ପରେ ନର୍ସ ଚିଡି ଉଠି ପରିବାର ଲୋକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପରେ ଏହି ଘଟଣାକୁ ନେଇ ପରିବାର ଲୋକେ ଏବଂ ଉକ୍ତ ବିଭାଗରେ ଚିକିତ୍ସିତ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ନର୍ସ ରିତା ହାତୀଙ୍କୁ ମାଡ଼ ମାରିଥିଲେ । ଲୋକଙ୍କ ମାଡ଼ରେ ନର୍ସ ରିତା ଗୁରୁତର ହୋଇଥିବା ବେଳେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ତେବେ ଏହାର ପ୍ରତିବାଦରେ ନର୍ସ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ନର୍ସଙ୍କ ସୁରକ୍ଷା, ରାତିବେଳେ ବିଭିନ୍ନ ୱାର୍ଡରେ ସୁରକ୍ଷା କର୍ମୀ ନିୟୋଜିତ କରିବା, ସମ୍ପୃକ୍ତ ନର୍ସଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ଭଳି ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ମେଡିକାଲ ପ୍ରଶାସନ ଓ ପୋଲିସ ନର୍ସମାନଙ୍କୁ ବୁଝାସୁଝା କରି ଅଭିଯୁକ୍ତକୁ ଗିରଫ କରିବାର ପ୍ରତିଶ୍ରୁତି ଦେବାପରେ ନର୍ସମାନେ କାର୍ଯ୍ୟରେ ଯୋଗଦେଇଥିଲେ।
ସେପଟେ ଘଟଣା ପରେ ସମ୍ପୃକ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମେଡିକାଲରେ ନଥିବା ସୂଚନା ମିଳିଛି । ତେବେ ଅନ୍ୟ ଜଣେ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗୁଣନିଧି ଗିରି ନାମକ ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କ ପ୍ରସୂତି ପାଇଁ ଅନ୍ୟ ଜଣେ ନର୍ସଙ୍କୁ 16ଶହ ଟଙ୍କା ଦେଇଥିବା କହିଛନ୍ତି। ପ୍ରସବ ପରେ ନର୍ସମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ଗୁଣନିଧି ନିଜ ପ୍ରତିକ୍ରିୟାରେ କହିଛନ୍ତି । ନର୍ସ ରିତା ହାତୀ ଟଙ୍କା ମାଗିବା ଅଭିଯୋଗରେ ମାଡ଼ ଖାଇବା ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରକୃତ ଚେହେରା ପଦାକୁ ଆସିଛି। ନର୍ସଙ୍କୁ ମାଡ଼ ମରିଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ମତାମତ ମିଳି ପାରି ନଥିବା ବେଳେ ସେହି ୱାର୍ଡରେ ଥିବା ଅନ୍ୟ ଜଣେ ପ୍ରସୂତୀଙ୍କ ସମ୍ପର୍କୀୟ ନର୍ସଙ୍କୁ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ।
ତେବେ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ମେଡିକାଲ ଫାଣ୍ଡିରେ ଅଟକ ରଖାଯାଇଛି । ଏହାସହ ମେଡିକାଲରେ ପୋଲିସ କର୍ମୀ ମୁତୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଠି ପ୍ରଶ୍ନ ଉଠୁଛି ଯେ ଦୀର୍ଘ ସମୟ ରୋଗୀସେବା ବାଧାପ୍ରାପ୍ତ ହେବାରେ ଦାୟୀ କିଏ ? ନର୍ସମାନେ ବିଭିନ୍ନ ସମୟରେ ଟଙ୍କା ମାଗୁଥିବା ଅଭିଯୋଗ ଆସୁଥିଲେ ମଧ୍ୟ ମେଡିକାଲ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି କାହିଁକି ? ଏପରିକି ଅନେକ ସମୟରେ ନର୍ସଙ୍କ ଦାବି ପୂରଣ ପରେ ରୋଗୀ ସମ୍ପର୍କୀୟଙ୍କ ଦାବିକୁ ଚପାଇ ଦିଆଯାଉଥିବା ଦେଖିବାକୁ ମିଳୁଛି । ମେଡିକାଲରେ ନର୍ସମାନେ ନାନା ସମୟରେ ରୋଗୀଙ୍କୁ ଟଙ୍କା ମାଗିବା ଓ ଦୁର୍ବ୍ୟବହାର କରିବା ଅଭିଯୋଗ ଆସୁଥିଲେ ମଧ୍ୟ ମେଡିକାଲ ପ୍ରଶାସନ ଚୁପ ରହିବାର କାରଣ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ