ଓଡିଶା

odisha

ETV Bharat / state

ନଦୀରେ ବୁଡି କାଉଡିଆ ନିଖୋଜ ଘଟଣା; ୨୨ ଘଣ୍ଟା ପରେ ମିଳିଲା ମୃତଦେହ - ସାଳନ୍ଦୀ ନଦୀ

୨୨ ଘଣ୍ଟା ପରେ ନଦୀରୁ ଦୁଇ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର । କାଲି ମହାଦେବଙ୍କୁ ଜଳଲାଗି ପାଇଁ ନଦୀରୁ ପାଣି ଉଠାଉ ଥିବାବେଳେ ବୁଡି ଯାଇ ନିଖୋଜ ଥିଲେ । ଅଧିକ ପଢନ୍ତୁ

ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର
ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର

By

Published : Aug 8, 2023, 11:25 AM IST

ବାଲେଶ୍ବର:ସାଳନ୍ଦୀ ନଦୀରେ ବୁଡି କାଉଡିଆ ନିଖୋଜ ଘଟଣା । ଦୀର୍ଘ ୨୨ ଘଣ୍ଟା ଖୋଜାଖୋଜି ପରେ ନଦୀରୁ ମିଳିଲା ଦୁଇ କାଉଡ଼ିଆଙ୍କ ମୃତଦେହ । ଆଜି(ମଙ୍ଗଳବାର) ସକାଳେ ଦୁହିଁଙ୍କର ମୃତଦେହ ଉଦ୍ଧାର ହୋଇଛି । ସେମାନେ ହେଲେ ରାଜେନ୍ଦ୍ର ସାହୁ ଏବଂ ସୁବ୍ରତ ମହାକୁଡ଼ । ଗତକାଲି ମହାଦେବଙ୍କ ପାଖରେ ଜଳଲାଗି ପାଇଁ ନଦୀରୁ ପାଣି ଉଠାଉ ଥିବାବେଳେ ଉଭୟ ଭାସି ଯାଇ ନିଖୋଜ ହୋଇଯାଇ ଥିଲେ । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁଯାୟୀ, କାଲି ଶ୍ରାବଣ ମାସର ସୋମବାର ଥିଲା । ବାଲେଶ୍ୱର ଜିଲ୍ଲା ବରଦା ଗ୍ରାମରେ ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ ଗ୍ରାମର ୧୮ ଜଣ କାଉଡ଼ିଆ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ଯାଉଥିଲେ । ମାତ୍ର ଏହି ସମୟରେ ଗ୍ରାମର ରାଜେନ୍ଦ୍ର ସାହୁ ଏବଂ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ଭାସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ପହଞ୍ଚି ନିଖୋଜ ଦୁଇ କାଉଡ଼ିଆଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଅଧାରେ ରହିଲା ମହାଦେବଙ୍କ ଜଳାଭିଷେକ, ଶାଳନ୍ଦୀ ନଦୀରେ ଭାସିଗଲେ ୨ କାଉଡିଆ

ସୋମବାର ଦିନ ତମାମ ଖୋଜାଖୋଜି ପରେ ନିଖୋଜ ଦୁଇ କାଉଡ଼ିଆଙ୍କ ପତ୍ତା ମିଳି ନଥିଲା । ଶେଷରେ ଆଜି ସକାଳେ ଓଡ୍ରାଫ ଟିମ୍ ନିଖୋଜ ଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଶ୍ରାବଣ ମାସରେ କାଉଡ଼ିଆମାନେ ଜଳଭାର ନେବା ପାଇଁ ଯେଉଁସବୁ ନଦୀ ପାଖକୁ ଯାଉଛନ୍ତି ସେଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଦାବି କରାଯାଉଛି । ଏହାସହ କାଉଡ଼ିଆମାନେ ସତର୍କତାର ସହ ଜଳଭାର ନେବା ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଅନୁରୂପ ଘଟଣା ଘଟିଥିଲା । ଶିବଙ୍କ ପାଖରେ ଜଳାଭିଷେକ ପାଇଁ ପାଣି ଉଠାଉ ଥିବାବେଳେ ରେଙ୍ଗାଲି କେନାଲରେ ବୁଡ଼ି ଯାଇ ଜଣେ କାଉଡିଆ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ପରଦିନ ତାଙ୍କର ମୃତଦେହ ମିଳିଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details