ଓଡିଶା

odisha

ETV Bharat / state

ରାତିପାହିଲେ ଜାଗର: ଡମ୍ବରୁରେ ମହାଦେବଙ୍କ ଆକର୍ଷଣୀୟ ପଟ୍ଟଚିତ୍ର

ରାତିପାହିଲେ ଜାଗରଯାତ୍ରା । ଜାଗର ଉପଲକ୍ଷେ ଡ଼ମ୍ବରୁରେ ମହାଦେବଙ୍କ ସୁନ୍ଦର ପ୍ରତିଛବି ଆଙ୍କି ଭକ୍ତି ନୈବେଦ୍ୟ ଅର୍ପଣ କଲେ ବାଲେଶ୍ବର ପଟ୍ଟଚିତ୍ର ଶିଳ୍ପୀ । ଅଧିକ ପଢନ୍ତୁ

By

Published : Feb 17, 2023, 3:51 PM IST

ଡମ୍ବୁରରୁ ମହାଦେବଙ୍କ ଆକର୍ଷଣୀୟ ଚିତ୍ର
ଡମ୍ବୁରରୁ ମହାଦେବଙ୍କ ଆକର୍ଷଣୀୟ ଚିତ୍ର

ଡମ୍ବୁରରୁ ମହାଦେବଙ୍କ ଆକର୍ଷଣୀୟ ଚିତ୍ର

ବାଲେଶ୍ବର:ରାତିପାହିଲେ ମହାଦେବଙ୍କ ଜାଗରଯାତ୍ରା । ଜାଗର ପାଇଁ ସଜେଇ ହେଲାଣି ରାଜ୍ୟର ବିଭିନ୍ନ ଶୈବପୀଠ । ଆଜି ହେଉଛି ଏକବାର, ଭୋଳା ଶଙ୍କରଙ୍କ ଆରାଧନା ଲାଗି ଉପବାସ କରିଛି ଭକ୍ତ । ଅରୁଆ ଖାଇ ଆସନ୍ତାକାଲି ଜାଗରରେ ଦୀପ ଜାଳିବେ । ଏହି ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବାଲେଶ୍ଵର ସହରର ପଟ୍ଟଚିତ୍ର ଶିଳ୍ପୀ ଦେବାଶିଷ ସାହୁ ଡ଼ମ୍ବରୁରେ ମହାଦେବଙ୍କ ଆକର୍ଷଣୀୟ ଚିତ୍ର ଅଙ୍କନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି । ସେ ଏକ ଡ଼ମ୍ବରୁରେ ଫେବ୍ରିକ ରଙ୍ଗ ବ୍ୟବହାର କରି ଭଗବାନ ଶିବଙ୍କର ପ୍ରତିଛବି ଆଙ୍କିଛନ୍ତି । ଏହାକୁ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ଅଧଘଣ୍ଟା ସମୟ ଲାଗିଥିଲା ।

ବାଲେଶ୍ବରର ଦେବାଶିଷ ପଟ୍ଟଚିତ୍ର ଶିଳ୍ପୀ ଭାବେ ସାରା ଅଞ୍ଚଳରେ ବେଶ୍ ପରିଚିତ । ପଟ୍ଟଚିତ୍ରକୁ କେବଳ କାଗଜରେ ସୀମିତ ନରଖି ସବୁ ଜିନିଷ ଉପରେ ଚମକାଇବାକୁ ସେ ଚେଷ୍ଟା କରୁଛନ୍ତି । ପର୍ସ, ଝିଅମାନଙ୍କ ହ୍ୟାଣ୍ଡ ବ୍ୟାଗ୍, ସାଇଡ୍ ବ୍ୟାଗ୍, ଟି-ସାର୍ଟ, ଯେକୌଣସି ଫୁଲ ଏବଂ ପାନ ପତ୍ର ଉପରେ ସେ ଅତି ନିଖୁଣତାର ସହ ପଟ୍ଟଚିତ୍ର କାମ କରୁଛନ୍ତି । ଫେସବୁକ୍ ମାଧ୍ୟମରେ ତାଙ୍କ ହାତ ତିଆରି ପଟ୍ଟଚିତ୍ର ପ୍ରତି ଆକର୍ଷିତ ହୋଇ ଡ୍ରେସ୍, ବ୍ୟାଗ୍ ଉପରେ ଏହି କଳାକୃତି କରିବା ପାଇଁ ଅନେକ ଲୋକଙ୍କ ପାଖରୁ ଅର୍ଡର ଆସୁଛି । ପିଲାଟି ବେଳୁ ଦେବାଶିଷଙ୍କ ଚିତ୍ରକଳା ପ୍ରତି ବେଶ ଆଗ୍ରହ ରହିଥିଲା । ହେଲେ ସମୟାନୁକ୍ରମେ ସେ ପାଠପଢ଼ାରେ ବ୍ୟସ୍ତ ରହିଯିବା ଯୋଗୁଁ ପ୍ରଶିକ୍ଷଣ ନେଇପାରିନଥିଲେ ।

ତେବେ ବିନା ପ୍ରଶିକ୍ଷଣରେ ମଧ୍ୟ ନିଜ ଭିତରର ପ୍ରତିଭାକୁ ସେ ପ୍ରସ୍ଫୁଟିତ କରାଇଛନ୍ତି । ଅଭ୍ୟାସ ବଳରେ ଆଜି ଦେବାଶିଷ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ କେବଳ ପଟ୍ଟଚିତ୍ର ଆଙ୍କନ୍ତି ନାହିଁ, ବରଂ ନିଜ ବାପାଙ୍କ ସହ ମେଡିସିନ ଷ୍ଟୋରରେ ସହଯୋଗ କରନ୍ତି । ପାଠପଢ଼ା ସରିବା ପରେ ଔଷଧ ଦୋକାନରେ ବାପାଙ୍କୁ ସାହାଯ୍ୟ କରୁଛନ୍ତି । ଦିନ ସାରା କାମ ଭିତରେ ବି ରାତିରେ ଫୁରସତ ମିଳିଲେ ଘରକୁ ଫେରି ପଟ୍ଟଚିତ୍ର ଆଙ୍କିବାରେ ଲାଗିପଡ଼ନ୍ତି । ବିନା ପ୍ରଶିକ୍ଷଣରେ ଦେବାଶିଷଙ୍କ ହାତରେ ଚମକୁଛି ସୁନ୍ଦର କଳାକୃତି ।

ଦେବାଶିଷ ପ୍ରଥମେ ଶିଳ୍ପୀ କେଶୁ ଦାସଙ୍କ ମାଧ୍ୟମରେ ଶିଳ୍ପୀ ପରିବାର ଗ୍ରୁପ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମରେ ଝୋଟି, ମୁରୁଜ ଆଙ୍କିବା ଆରମ୍ଭ କରିଥିଲେ । ଏଥିପାଇଁ ବିଭିନ୍ନ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏହାବ୍ୟତୀତ ସେ ବିଭିନ୍ନ ପର୍ବପର୍ବାଣୀ ସମୟରେ ଥିମ୍ ଅନୁଯାୟୀ ସୁନ୍ଦର ମୁରୁଜ ଏବଂ ରଙ୍ଗୋଲି ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ବେଶ ପ୍ରଶଂଶା ସାଉଁଟୁଛନ୍ତି । ମୁରୁଜ କାମ ପାଇଁ ତାଙ୍କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥାଏ । ଦେବାଶିଷଙ୍କ ପଟ୍ଟଚିତ୍ର କାମକୁ ପସନ୍ଦ କରି ବର୍ତ୍ତମାନ ଶାଢ଼ୀ ଓ କୁର୍ତ୍ତୀରେ ପଟ୍ଟଚିତ୍ର ଆଙ୍କିବା ପାଇଁ ଅର୍ଡର ଆସୁଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details