ଓଡିଶା

odisha

ETV Bharat / state

Train Tragedy: ଟ୍ରେନର ପାଇଲଟ ଓ ଗାର୍ଡଙ୍କ ସ୍ଥିତି କଣ ? ଜାଣନ୍ତୁ ଗୋଟିଏ କ୍ଲିକରେ - ପାଇଲଟ

ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ପାଇଲଟ ଓ ଗାର୍ଡଙ୍କ ଅବସ୍ଥା କିପରି ରହିଛି । ଜାଣନ୍ତୁ

Loco pilots
Loco pilots

By

Published : Jun 3, 2023, 8:40 PM IST

ବାଲେଶ୍ବର:ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାରେ ୨ଟି ଟ୍ରେନର ଇଞ୍ଜିନ ଡ୍ରାଇଭର ଓ ଗାର୍ଡ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଏବେ ସେମାନେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଥିବା ବେଳେ ଦୁର୍ଘଟଣାରେ ୯୦୦ରୁ ଅଧିକ ଆହତ ହୋଇଛନ୍ତି ।

ମାଲବାହୀ ଟ୍ରେନର ଇଞ୍ଜିନ ଡ୍ରାଇଭର ଓ ଗାର୍ଡଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ହେଲେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ପାଇଲଟ ଓ ଗାର୍ଡ ଆହତ ହୋଇଛନ୍ତି । ସେହିପରି ଅନ୍ୟ ଟ୍ରେନ ବେଙ୍ଗାଲୁରୁ- ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ଗାର୍ଡ ଆହତ ହୋଇଛନ୍ତି । ତେବେ ଏନେଇ ଦକ୍ଷିଣ-ପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନର ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜର ରାଜେଶ କୁମାର କହିଛନ୍ତି, "କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡ ଏବଂ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସର ଗାର୍ଡ ଆହତ ଥିବା ବେଳେ ସେମାନେ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।"

ଏହା ବି ପଢନ୍ତୁ- Train Accident: ମୃତକଙ୍କ ମଧ୍ୟରେ ପୁଅକୁ ଖୋଜୁଛି ବାପା, ନପାଇ ବାଚାଳ ପ୍ରାୟ

କରମଣ୍ଡଳ ପାଇଁ କଳା ଦିନ କୁହାଯାଉଥିବା ଶୁକ୍ରବାର ସନ୍ଧ୍ୟା ସମୟରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ଶୁକ୍ରବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ରହିଥିବା ବେଳେ ଧୀରେ ଧୀରେ ଏହା ଆଜି ୨୮୮ରେ ପହଞ୍ଚିଛି । ଏହା ଦେଶର ଏକ ବଡ଼ ଦୁର୍ଘଟଣା ତାଲିକାରେ ସାମିଲ ହୋଇଛି । ସାରା ଦେଶକୁ ଏହି ଦୁର୍ଘଟଣା ଦୋହଲାଇ ଦେଇଛି । ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ (ଟ୍ରେନ ନଂ 12841) ମାଲବାହୀ ଟ୍ରେନକୁ ଧକ୍କା ଦେବା ପରେ ପ୍ରଥମ ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଅନ୍ୟ ଟ୍ରେନ ଲାଇନରେ ଯାଉଥିଲା ଯଶୱନ୍ତପୁର-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ । କରମଣ୍ଡଳର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇ ଯଶୱନ୍ତପୁର-ହାୱଡା ଟ୍ରେନର ଶେଷ ୩ଟି ବଗି ସହିତ ଧକ୍କା ଖାଇଥିଲା । ସନ୍ଧ୍ୟା ପ୍ରାୟ ୬ଟା ୫୫ମିନିଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଛି ।

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଏହି ଦୁର୍ଘଟଣା ଲାଗି ଯିଏ ବି ଦୋଷୀ ସାବ୍ୟସ୍ତ ହେବ ତା' ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ମୋଦି ବାଲେଶ୍ବର ଜିଲ୍ଲା ହସ୍ପିଟାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details