ବାଲେଶ୍ଵର:ପାର୍ବଣ ପାଇଁ ଉତ୍ସବମୁଖର ବାଲେଶ୍ଵର ସହର । ସହରର ବିଭିନ୍ନ ସ୍ଥାନରେ ଚାଲିଛି ମା'ଦୁର୍ଗାଙ୍କ ନବଦିନାତ୍ମକ ପୂଜା । ସମ୍ପୂର୍ଣ୍ଣ ଓଡିଆ ରିତୀନିତୀରେ ଚାଲିଛି ମା'ଙ୍କ ଆରଧନା । ଏହି ଅବସରରେ ସହରର ଫକୀର ମୋହନ ଗୋଲେଇ ନିକଟରେ ଥିବା ସାଇଦୁର୍ଗା ମନ୍ଦିରରେ ୯ ଦିନ ଧରି ମା'ଙ୍କ ଆରଧନା ଚାଲିଛି । ହେଲେ ଆଜି ପୀଠରେ ମହାନବମୀ ପାଳିତ ହେଉଥିବା ବେଳେ ଏଠାରେ କନ୍ୟା ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ମନ୍ଦିରରେ କନ୍ୟାମାନଙ୍କୁ ପୂଜା କରିବାର ସ୍ୱତନ୍ତ୍ର ବିଧି ରହିଛି । ୯ ଜଣ କନ୍ୟାଙ୍କୁ ପୂଜାର୍ଚ୍ଚନା କରାଯାଇଛି ।
ନବକନ୍ୟା ପାଇଲେ ପୂଜା
ପ୍ରତି ବର୍ଷ ଏହି ସାଇଦୁର୍ଗା ପୀଠରେ ମହାନବମୀ ତିଥିରେ ନବକନ୍ୟା ପୂଜା ପରମ୍ପରା ରହିଛି । ୩ ବର୍ଷରୁ ୧୨ ବର୍ଷ ଭିତରେ ୯ ଜଣ କନ୍ୟାକୁ ଏଠାରେ ପୂଜା କରାଯିବାର ବିଧି ରହିଛି । ପ୍ରଥମେ ୯ ଜଣ କନ୍ୟାଙ୍କୁ ସୁସଜ୍ଜିତ କରି ମନ୍ଦିର ପରିସରକୁ ଅଣାଯାଇଥାଏ । ସେଠାରେ ନବରାତ୍ର ବ୍ରତଧାରୀମାନେ କନ୍ୟାମାନଙ୍କୁ ପ୍ରଥମେ ପାଦ ଧୋଇବା ପରମ୍ପରା ରହିଛି । ପରେ ସେମାନଙ୍କୁ କୁମକୁମ, ଅଳତା, ଶଙ୍ଖା, ଓଢଣୀ ଆଦିରେ ସଜାଇ ସେମାନଙ୍କୁ ପୂଜା କରାଯାଇଥିଲା । ଏହାପରେ ମନ୍ଦିରରେ ଥିବା ଭକ୍ତମାନେ କନ୍ୟା ନବରତ୍ନମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ । ଶେଷରେ କନ୍ୟା ନବରତ୍ନ ମାନଙ୍କ ପାଇଁ ବିଶେଷ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । କନ୍ୟା ନବରତ୍ନ ମାନଙ୍କୁ ପୂଜା କରିବା ସହ ସେମାନଙ୍କ ଠାରୁ ବ୍ରତଧାରୀମାନେ ଆଶୀର୍ବାଦ ଗ୍ରହଣ କରିଥିଲେ । ତେବେ ଏହି କନ୍ୟାରତ୍ନ ପୂଜା କରିବାର ବୈଦିକ ରୀତି ଓ ସାମାଜିକ ଚଳଣି ଉପରେ ବେଶ ପ୍ରଭାବ ପକାଇଥାଏ । ଯେଉଁଠି ନାରୀମାନଙ୍କ ପୂଜା ହୋଇଥାଏ ସେଠାରେ ଦେବତାଙ୍କ ବାସ ହୋଇଥାଏ ବୋଲି ଶାସ୍ତ୍ରରେ ରହିଛି । ଏଥିପାଇଁ ସାମାଜିକ ସ୍ତରରେ ମଧ୍ୟ ନାରୀମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ଏମିତି ପରମ୍ପରା ଆହ୍ୱାନ ଦେଇଥାଏ ।