ବାଲେଶ୍ବର:ସାମ୍ବାଦିକଙ୍କୁ ସରକାରୀ କର୍ମଚାରୀଙ୍କ ଆକ୍ରମଣ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲକର କର୍ମଚାରୀ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସାମ୍ବାଦିକମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଦିନକୁ ଦିନ ସାମ୍ବାଦିକମାନେ ଆକ୍ରୋଶର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲକର କର୍ମଚାରୀ ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ କାର୍ଯ୍ୟାଳୟରେ ଆଜି ଦିନ ସାଢେ ଦଶଟା ଯାଏ ବିଡ଼ିଓ ନ ଆସିବା ଘଟଣାକୁ ନେଇ ଏକ ଘରୋଇ ଚ୍ୟାନେଲର ସମ୍ବାଦିକ ଜଗନ୍ନାଥ ଗିରି ଅପେକ୍ଷାରତ ଲୋକଙ୍କ ପ୍ରତିକ୍ରିୟା ନେଇଥିଲେ। ଏହାକୁ ନେଇ ବ୍ଲକରେ କାର୍ଯ୍ୟରତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୀତା ଜେନା ଖବର ପରିବେଷଣ ଉପରେ ଖରାପ ଟିପ୍ପଣୀ ଦେବାସହ ବିଡ଼ିଓଙ୍କ ଅପେକ୍ଷାରେ ଥିବା ଲୋକଙ୍କ ଉପରେ ଗାଳି ଗୁଲଜ କରିଥିଲେ । ଏହି ସମୟରେ ସାମ୍ବାଦିକ ଜଗନ୍ନାଥ ଗିରି ସମ୍ପୃକ୍ତ ମହିଳାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲାବେଳେ ମହିଳା କର୍ମଚାରୀ ଜଣଙ୍କ ଉତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା: ପ୍ରଯୋଜକ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ