ବାଲେଶ୍ବର: ପାରିବାରିକ କହଳର କରୁଣ ପରିଣତି । ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ବାମୀ । ସାତଜନ୍ମର ସାଥି ହେବାକୁ କଥା ଦେଇଥିଲା । ହେଲେ ଛୋଟିଆ କଥାରେ ରାଗିଯାଇ ନିର୍ମମ ଭାବେ ହାଣି ଜୀବନ ନେଇଗଲା । ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତି ନିଜର ସ୍ତ୍ରୀକୁ ହତ୍ୟା କରିଛି । ଅଭିଯୁକ୍ତ ଜଳେଶ୍ବର ଥାନା ଚାଲନ୍ତି ଗ୍ରାମର ନାମ ଅର୍ଜୁନ ଦାଣ୍ଡପାଟ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପଚରାଉଚରା କରିଛି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।
ସୂଚନା ମୁତାବକ, ଗତକାଲି(ସୋମବାର) ରାତିରେ ଚାଲନ୍ତି ଗ୍ରାମର ଅର୍ଜୁନ ଦାଣ୍ଡପାଟ ଓ ତାଙ୍କ ସ୍ତ୍ରୀ ଲିଲିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ସାମାନ୍ୟ ଝଗଡ଼ା କ୍ରମଶଃ ଉଗ୍ରରୂପ ନେଇଥିଲା । ଦୁହିଁଙ୍କ ମଧ୍ୟରେ ମାରପିଟ୍ ଯାଏଁ କଥା ଯାଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଅର୍ଜୁନ ନିଜର ହିତାହତ ଜ୍ଞାନ ଭୁଲିଯାଇଥିଲା । ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲା । ଲିଲି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ଚିତ୍କାର କରିବା ପରେ ତାଙ୍କର ୧୦ ବର୍ଷର ଝିଅ ସେଠାକୁ ଦୌଡ଼ି ଆସିଥିଲା । ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ମାଆକୁ ରକ୍ତ ଜୁଡୁବୁଡୁ ଦେଖି ଝିଅ ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଜଣାଇଥିଲେ ।
ଏହାମଧ୍ୟ ପଢନ୍ତୁ: Hardcore Criminal Bibhu Murder: ଗ୍ୟାଙ୍ଗୱାରରୁ ହୋଇଛି ବିଭୁର ହତ୍ୟା; ୬ ଗିରଫ