ଓଡିଶା

odisha

ETV Bharat / state

ପ୍ରତାରଣା ଦେଲା ସ୍ବାମୀ, ସାତ ମାସର ସନ୍ତାନକୁ ଧରି ଥାନାରେ ସ୍ତ୍ରୀ

ପ୍ରେମ, ବିବାହ ଓ ପ୍ରତାରଣା । ପ୍ରଥମେ ପ୍ରେମିକ ତା ପରେ ସାଜିଲେ ସ୍ବାମୀ ଆଉ ଏବେ ପ୍ରତାରକ । ସୂଦୁର ହାଇଦ୍ରାବାଦରେ ପ୍ରେମ ବିବାହ କରି ଏବେ ଗାଁରେ ପ୍ରତାରଣା ଦେଲେ ।

By

Published : May 12, 2019, 1:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପ୍ରେମ, ବିବାହ ଓ ପ୍ରତାରଣା । ପ୍ରଥମେ ପ୍ରେମିକ ତା ପରେ ସାଜିଲେ ସ୍ବାମୀ ଆଉ ଏବେ ପ୍ରତାରକ । ସୂଦୁର ହାଇଦ୍ରାବାଦରେ ପ୍ରେମ ବିବାହ କରି ଏବେ ଗାଁରେ ପ୍ରତାରଣା ଦେଲେ । ବାପା, ମା ସହିତ ମିଶି ସାତଜନମ ପାଇଁ ସାଥୀ କରିଥିବା ପ୍ରେମିକାକୁ ସାତପର କଲେ ।

ପ୍ରେମର ସନ୍ତକ ଭାବେ ସନ୍ତାନ ଜନ୍ମ ପରେ ଛୁ ମାରିଲା ସ୍ବାମୀ । ସାତ ମାସର ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଜଳେଶ୍ବର ଥାନା ଶିଖରପୁର ଅଞ୍ଚଳର ବେଲବାରିଆ ଗାଁର ବୁଦ୍ଧଦେବ ସେନାପତି ଓ ଭଦ୍ରକର ମାମିନା ସେଠୀ ହାଇଦ୍ରାବାଦରେ ପ୍ରେମ ବିବାହ କରିଥିଲେ । ପ୍ରଥମେ କିଛି ଦିନ ହସଖୁସିରେ ଚାଲିଥିଲା ସଂସାର । ପରେ ସେମାନଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ହେଲେ ତାପରେ ଏହି ସଂସାରକୁ କାହାର ଯେପରି ନଜର ଲାଗିଥିଲା । ସ୍ତ୍ରୀ ଓ ପୁତ୍ରକୁ ଛାଡି ଗାଁକୁ ଲୁଚି ପଳାଇ ଆସିଥିଲା ସ୍ବାମୀ ବୁଦ୍ଧଦେବ ।

ସେପଟେ ସ୍ବାମୀକୁ ଖୋଜି ଖୋଜି ବେଲବାରିଆ ଗାଁରେ ପହଞ୍ଚିଥିଲା ବିଚରା ସ୍ତ୍ରୀ ମାମିନା । ତେବେ ଭାଗ୍ୟର ବିଡମ୍ବନାରୁ ବେଲବାରିଆରେ ମାମିନାକୁ ଆଶ୍ରୟ ବଦଳରେ ମିଳିଲା ନିର୍ଯାତନା ଓ ଧିକ୍କାର । ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କ ସହିତ ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ତାଙ୍କୁ ମରାମରି କରିବା ସହ ଘରୁ ତଡିଦେଲେ । ସେଠୁ ନିରାଶ ହେବା ପରେ ନ୍ୟାୟ ପାଇଁ ଜଳେଶ୍ବର ଥାନାରେ ମହିଳା ଜଣଙ୍କ ତିନିଦିନ ହେବ ଦ୍ୱାରସ୍ଥ ହୋଇ ଏପରି ଅଭିଯୋଗ କରିଛନ୍ତି ।

ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନାରୁ ମହିଳା ଜଣଙ୍କ ହଟିବେ ନାହିଁ ବୋଲି କହୁଥିବାବେଳେ ସେପଟେ ପୋଲିସ ବୃଦ୍ଧଦେବଙ୍କୁ ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details