ଓଡିଶା

odisha

ETV Bharat / state

ରାସ୍ତା ନିର୍ମାଣ ଦାବି ନେଇ ଆମରଣ ଅନଶନ, ତହସିଲ ଅଫିସରେ ତାଲା

ଭୋଗରାଇ ତହସିଲ ସାମ୍ନାରେ ରାସ୍ତା ନିର୍ମାଣ ଦାବି ନେଇ ଆମରଣ ଅନଶନ। ସବୁବେଳେ ପ୍ରଶାସନ ମିଛ ପ୍ରତିଶ୍ରୁତି ଦେଉଥିବା କହି ଧାରଣାକାରୀମାନେ କାମ ଆରମ୍ଭ ନହେବା ଯାଏଁ ଉଠିବେ ନାହିଁ ବୋଲି ଜିଦ ଧରିଥିଲେ।

By

Published : Apr 6, 2019, 2:52 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଭୋଗରାଇ ତହସିଲ ସାମ୍ନାରେ ରାସ୍ତା ନିର୍ମାଣ ଦାବି ନେଇ ଆମରଣ ଅନଶନ। ସବୁବେଳେ ପ୍ରଶାସନ ମିଛ ପ୍ରତିଶ୍ରୁତି ଦେଉଥିବା କହି ଧାରଣାକାରୀମାନେ କାମ ଆରମ୍ଭ ନହେବା ଯାଏଁ ଉଠିବେ ନାହିଁ ବୋଲି ଜିଦ ଧରିଥିଲେ। ଧାରଣାକାରୀଙ୍କ ମଧ୍ୟରୁ ଜଣେ ମହିଳା ସଂଜ୍ଞାହୀନ ହେବାପରେ ତହସିଲ ଅଫିସରେ ଉତ୍ତେଜନା ପ୍ରକାଶ ପାଇଥିଲା। ମହିଳାମାନେ ତହସିଲ ଅଫିସରେ ତାଲା ପକାଇବା ସହ ହୋ ହାଲ୍ଲା ମଧ୍ୟ କରିଥିଲେ।

ସୂଚନା ଅନୁସାରେ, ଭୋଗରାଇ ଦେବଭୂମି ବିକାଶ ପରିଷଦ ପକ୍ଷରୁ ରାସ୍ତା ନିର୍ମାଣ ଦାବିରେ ଆମରଣ ଅନଶନ କରାଯାଇଥିଲା। ଭୋଗରାଇ ବ୍ଲକ ଅଧୀନ ପୁଟିଣା ପଞ୍ଚାୟତର କୁଳିହା ଗ୍ରାମର କଂକ୍ରିଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଦୁରାବସ୍ଥା ନେଇ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ପ୍ରଶାସନକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଫଳରେ ପରିଷଦ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ । ମାତ୍ର ଭୋଗରାଇ ତହସିଲଦାର ସନତ୍ କୁମାର ନାଏକ ସାତ ଦିନ ମଧ୍ୟରେ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେବା ପରେ ଅନଶନ ସ୍ଥଗିତ ରଖାଯାଇଥିଲା। ହେଲେ ସାତ ଦିନ ଯାଇ ଦଶ ଦିନ ବିତିବା ପରେ ବାଧ୍ୟ ହୋଇ ଶତାଧିକ ଗ୍ରାମବାସୀ ଅନଶନରେ ବସିଥିଲେ।

ଅନଶନ ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ରାସ୍ତାକାମ ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏମିତି ପ୍ରତିଶ୍ରୁତି ପାଣିର ଗାର ବୋଲି ଅଭିଯୋଗ କରି ଅନଶନ ଜାରି ରଖାଯାଇଥିଲା। ଏହାରି ଭିତରେ ଜଣେ ମହିଳା ଧାରଣାକାରୀ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଏହାକୁ ନେଇ ଧାରଣାକାରୀମାନେ ଉତ୍ୟକ୍ତ ହୋଇ ତହସିଲ ଗେଟରେ ତାଲା ପକାଇ ହୋ ହାଲ୍ଲା କରିଥିଲେ। ବେଶ କିଛି ସମୟ ଉତ୍ତେଜନା ପରେ ସଂପୃକ୍ତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details