ଓଡିଶା

odisha

ETV Bharat / state

ହର୍ବଲ ଚା' ପ୍ରସ୍ତୁତ କରି ଚର୍ଚ୍ଚାରେ ବାଲେଶ୍ବରର ଦୋକାନୀ

କୋରୋନା ସମୟରେ ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟ ସଂପର୍କରେ ଚିନ୍ତା କରି ହର୍ବାଲ ଚା' ପ୍ରସ୍ତୁତ କରୁଛନ୍ତି ବାଲେଶ୍ବରର ଚା' ଦୋକାନୀ ମନୋରଞ୍ଜନ ଦାସ । ଦୋକାନୀଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 21, 2020, 7:23 PM IST

Updated : Nov 21, 2020, 8:38 PM IST

Herbal tea shopkeeper in Balasore famoused by making herbal tea
ହର୍ବଲ ଚା' ପ୍ରସ୍ତୁତ କରି ଚର୍ଚ୍ଚାରେ ବାଲେଶ୍ବରର ଚା' ଦୋକାନୀ

ବାଲେଶ୍ବର:ଜିଲ୍ଲାର ମୁଖ୍ୟ ସହରର ଫକୀର ମୋହନ ଗୋଲେଇଠାରେ ଚା' ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ମନୋରଞ୍ଜନ ଦାସ ବେପାରର ନୂଆ ଫଣ୍ଡା ଆପଣେଇଛନ୍ତି । ଗ୍ରାହକମାନଙ୍କୁ କୋରୋନା ସମୟରେ ହର୍ବାଲ ଚା' ପିଆଇ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

କୋରୋନା ଲକଡାଉନବେଳେ ବେପାର ବାଣିଜ୍ୟ କରି ବଞ୍ଚୁଥିବା ଅନେକ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏହାରି ଭିତରେ କିଛି ଲୋକ ଜୀବିକା ବଦଳାଇଥିବା ବେଳେ ଆଉ କିଛି ବେପାରର ଢଙ୍ଗ ଓ କାଇଦା ବଦଳାଇଛନ୍ତି । ଏହି ବ୍ୟବସାୟୀଙ୍କ ମଧ୍ୟରେ ବାଲେଶ୍ବରର ଚା' ଦୋକାନୀ ମନୋରଞ୍ଜନ ଓରଫ ମନୁ ଭାଇ ସାମିଲ ହୋଇଛନ୍ତି ।

ହର୍ବଲ ଚା' ପ୍ରସ୍ତୁତ କରି ଚର୍ଚ୍ଚାରେ ବାଲେଶ୍ବରର ଚା' ଦୋକାନୀ

ମହାମାରୀ ସମୟରେ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ମନୋରଞ୍ଜନଙ୍କ ଚା' ଦୋକାନ ବନ୍ଦ ରହିଥିଲା । ଅନଲକରେ ଦୋକାନ ଖୋଲିବା ପରେ ପୁଣି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର କୋରୋନାର ଭୟ ଯୋଗୁଁ ଲୋକେ ଆଉ କ୍ଷୀର ଚା' ପସନ୍ଦ କଲେ ନାହିଁ । ଏଣୁ ମନୁଭାଇ ବିଭିନ୍ନ କବିରାଜି ବହିରୁ ହର୍ବାଲ ଚା' ପ୍ରସ୍ତୁତ କରିବାର ପ୍ରଣାଳୀ ସଂପର୍କରେ ଶିକ୍ଷା ଗ୍ରହଣ କରି ନିଜ ଗ୍ରାହକମାନଙ୍କୁ ଏହି ହର୍ବାଲ ଚା' ବିକ୍ରି କରୁଛନ୍ତି ।

ହର୍ବଲ ଚା' ପ୍ରସ୍ତୁତ କରି ଚର୍ଚ୍ଚାରେ ବାଲେଶ୍ବରର ଦୋକାନୀ

ହର୍ବାଲ ଚା' ତିଆରି ପାଇଁ ବ୍ୟବସାୟୀ ଜଣକ ଅଦା, ଶୁଣ୍ଠୀ, ଡାଲଚିନି, ଲବଙ୍ଗ ସହ ଅଶ୍ଵଗନ୍ଧା ପତ୍ର, ଧନ୍ଵନ୍ତରୀ ପତ୍ର, କଞ୍ଚା ହଳଦୀ ସହ ସମୁଦାୟ 24 ପ୍ରକାର ଆୟୁର୍ବେଦ ମସଲା କିଣି ଏହି ଚା' ପ୍ରସ୍ତୁତ କରୁଛନ୍ତି । ତେବେ ଗୋଟିଏ ଚା' କପ୍‌ର ମୂଲ୍ୟ 5 ଟଙ୍କା ରହିଥିବା ବେଳେ ମନୁଭାଇଙ୍କ ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ ଜମୁଛି ।

କ୍ଷୀର ଚା' ତୁଳନାରେ ଏହି ହର୍ବାଲ ଚା' ପିଇବା ପାଇଁ ଦୂରଦୂରାନ୍ତରୁ ମନୋରଞ୍ଜନଙ୍କ ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ଼ ଜମୁଛି । ଏମିତିକି ଲୋକମାନେ ନିଜେ ପିଇବା ସହ ଘର ପରିବାର ପାଇଁ ପାର୍ଶଲ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଚା ପିଇବା ଦ୍ବାରା ଲୋକମାନେ ଥଣ୍ଡା, ଜ୍ବର, କାଶ ଭଳି ସଂକ୍ରମଣରୁ ରକ୍ଷା ପାଇଥିବା କହିଛନ୍ତି । 68 ବର୍ଷ ବୟସରେ ମନୋରଞ୍ଜନଙ୍କ ଏପରି ନିଆରା ଉପାୟରେ ଚା' ପ୍ରସ୍ତୁତ କରିବା ବିଷୟକୁ ସାଧାରଣରେ ପ୍ରଶଂସା କରାଯାଉଛି। ଏହି ଚା' ପିଇ ଗ୍ରାହକମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 21, 2020, 8:38 PM IST

ABOUT THE AUTHOR

...view details