ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ 150ତମ ଗାନ୍ଧିଜୟନ୍ତୀ ପାଳନ କରାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗାନ୍ଧୀ ପ୍ରେମୀଙ୍କ ପକ୍ଷରୁ ଶୋଭାଯାତ୍ରା କରି ମଦ ବିରୋଧୀ ଓ ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା କରାଯାଉଛି । ତେବେ ବ୍ରହ୍ମଗିରିର ବସଷ୍ଟାଣ୍ଡ ଛକରୁ ବାହାରି ଫିଲିମ ହଲ ଛକ ଯାଏଁ ଶୋଭାଯାତ୍ରା କରାଯାଇଥିଲା ।
ସେପଟେ, ବାଲେଶ୍ବରରେ ମଧ୍ୟ ଶୋଭାଯାତ୍ରା କରିବା ସହ ଗାନ୍ଧୀଙ୍କ ବାର୍ତ୍ତା ବଣ୍ଟନ କରାଯାଇଛି । ବାଲେଶ୍ବରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି । ସିନେମା ଛକ ଶହୀଦ ପାର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ପଦଯାତ୍ରାରେ ବାହାରିଥିଲେ । ସେହିପରି ଗାନ୍ଧିସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ରାଉରକେଲା, କେନ୍ଦୁଝର ଓ ମାଲକାନଗିରିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶୋଭାଯାତ୍ରା କରାଯାଇଛି । ଏଥିସହ ରାଉରକେଲାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏଡିଏମ ପକ୍ଷରୁ ପୁରସ୍କାର ଦିଆଯାଇଥିଲା । ସେହିପରି କେନ୍ଦୁଝରରେ ମିନି ମାରାଥାନ କରିବା ସହ ସ୍ବଚ୍ଛ ଭାରତ ମିଶନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଲୋକପ୍ରତିନିଧିଙ୍କ ଦ୍ବାରା ଗାନ୍ଧୀ ମାର୍ଗକୁ ନାମକରଣ କରାଯାଇ ସ୍ଥାନୀୟ ନଗର ଭବନ ଠାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।