ଓଡିଶା

odisha

ETV Bharat / state

ଚଡକ ମେଳାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ

ଚଡକ ମେଳାରେ ଉପଯୁକ୍ତ ତଥା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ପ୍ରଦାନ କରାଯାଉଛି କି ନାହିଁ ତାହା ତଦାରଖ କରିଛି ଖାଦ୍ୟ ନିରାପତ୍ତା ବିଭାଗ। ଅଧିକ ପଢନ୍ତୁ

By

Published : Apr 13, 2023, 10:04 AM IST

chadaka mela balsore
chadaka mela balsore

ବାଲେଶ୍ବର: ଜିଲ୍ଲାର ଭୋଗରାଇ ଚନ୍ଦନେଶ୍ୱର ପୀଠରେ ଚାଲିଛି ଚଡକ ମେଳା । ଏହି ମେଳାରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ବିଭିନ୍ନ ପ୍ରକାର ଖାଦ୍ୟପେୟର ଦୋକାନ ଦେଖିବାକୁ ମିଳିଛି । ତେବେ ଏନେଇ ଚଡକ ମେଳାରେ ଉପଯୁକ୍ତ ତଥା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ପ୍ରଦାନ କରାଯାଉଛି କି ନାହିଁ ତାହା ତଦାରଖ କରିଛି ଖାଦ୍ୟ ନିରାପତ୍ତା ବିଭାଗ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ମୃତ୍ୟୁଞ୍ଜୟ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅନୁଶ୍ରୀ ଖଟୁଆଙ୍କ ସମେତ ଜଳେଶ୍ୱର ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ମେଳାରେ ବସିଥିବା ବିଭିନ୍ନ ଖାଦ୍ୟପେୟ ଦୋକାନ ଉପରେ ଚଢ଼ାଉ କରିବା ସହ ଖାଦ୍ୟର ମାନ ଯାଞ୍ଚ କରିଥିଲେ ।

ତେବେ ଗୋଟିଏ ଦିନରେ ଖାଦ୍ୟ ନିରାପତ୍ତା ଟିମ ପ୍ରାୟ 100ଟି ଦୋକାନ ଉପରେ ଚଢ଼ାଉ କରିଥିଲା । ଖାଦ୍ୟରେ କେମିକାଲ ମିଶିଛି କି ନାହିଁ, ଖାଦ୍ୟରେ କୃତ୍ରିମ ରଙ୍ଗ ମିଶୁଛି କି ନାହିଁ, ବାସି ଖାଦ୍ୟ ଦିଆଯାଉଛି କି ଏମିତି ସବୁ ଉପରେ ଗୁରୁତ୍ୱ ଦେଇଥିଲା ଖାଦ୍ୟ ନିରାପତ୍ତା ଟିମ । ବିଶେଷ କରି ଚଡକ ମେଳାକୁ ଆସୁଥିବା ଭକ୍ତମାନେ କେମିତି ଉପଯୁକ୍ତ ଖାଦ୍ୟ ପାଇ ପାରିବେ ସେଥିପ୍ରତି ଧ୍ୟାନ ଦେଇଥିଲା ଖାଦ୍ୟ ସୁରକ୍ଷା ବିଭାଗ । ଏନେଇ ବିଭାଗ ପକ୍ଷରୁ ମେଳାରେ ପଡିଥିବା ଖାଦ୍ୟ ଷ୍ଟଲ ଗୁଡିକ ତଦାରଖ କରିବା ସହ ସେମାନଙ୍କୁ ତାଗିଦ କରାଯାଇଛି । ଏହି ଚଢ଼ାଉରେ କୌଣସି ଫାଇନ ଆଦାୟ କରାଯାଇ ନଥିବା ବେଳେ ଖାଦ୍ୟ ନଷ୍ଟ ମଧ୍ୟ ବିଭାଗ ପକ୍ଷରୁ କରାଯାଇନାହିଁ ।

ଚଢ଼ାଉ ବେଳେ ଖାଦ୍ୟ ନିରାପତ୍ତା ବିଭାଗର ରାମଚନ୍ଦ୍ର ପତି, ନିତ୍ୟାନନ୍ଦ ପତି, ହରିହର ଦାସ ଏବଂ ଗଦାଧର ବେହେରା ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ତେବେ ଗତ କିଛିଦିନ ପୂର୍ବରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବାଲେଶ୍ଵରର ସହରର ନାମିଦାମୀ ହୋଟେଲ ଗୁଡିକରେ ଚଢ଼ାଉ କରାଯାଇଥିଲା । ବହୁ ଦିନ ପର୍ଯ୍ୟନ୍ତ ଖାଦ୍ୟ ରଖି ଲୋକଙ୍କୁ ଦିଆଯିବା ସହ ଖାଦ୍ୟର ରଙ୍ଗକୁ ଆକୃଷ୍ଟ କରିବା ପାଇଁ ଅସ୍ୱାସ୍ଥ୍ୟକର ତଥା ହାନିକାରକ କୃତ୍ରିମ ରଙ୍ଗ ଖାଦ୍ୟରେ ମିଶାଯାଉଥିବା ନେଇ ଯାଞ୍ଚ କରାଯାଇଥିଲା । ଏଥିପାଇଁ ବିଭିନ୍ନ ହୋଟେଲରୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।

ପାଟିକୁ ସ୍ୱାଦ ଲାଗୁଥିବା ଓ ବାଲେଶ୍ଵର ସହରରେ ବେଶ ନାଁ କମେଇଥିବା ଏହିସବୁ ହୋଟେଲ ଗୁଡିକରେ ଏମିତି ବ୍ୟତିକ୍ରମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଲୋକମାନଙ୍କ ଭରସା ଉଠିବାକୁ ଲାଗିଲାଣି । ଗୋଟିଏ ପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବ । ଅନ୍ୟପଟେ ଏମିତି ସାଧାରଣ ଲୋକଙ୍କ ଖାଦ୍ୟରେ କୃତ୍ରିମ ରଙ୍ଗ ଭଳି ଜହର ମିଶାଇ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ କରାଉଥିବା ହୋଟେଲ ଗୁଡିକ ସଜାଗ ହେବେ ବୋଲି ମତ ପ୍ରକାଶ ପାଇଛି । ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଆଉ କୌଣସି କେମିକାଲ ମିଶା ଯାଉଛି କି ନାହିଁ ସେସବୁ ପ୍ରତି ବିଭାଗ ଦୃଷ୍ଟି ଦେଇଛି । ଚଢ଼ାଉ ବେଳେ ବାସି ଖାଦ୍ୟ ଓ କୃତ୍ରିମ ରଙ୍ଗ ବିଭାଗ ପକ୍ଷରୁ ନଷ୍ଟ କରି ଦିଆଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details