ବାଲେଶ୍ବର: ସମାଜକୁ ସଚେତନ କରାଇବା ଏବଂ ସୁସ୍ଥ ବାତାବରଣ ସୃଷ୍ଟି କରିବା ଜୀବନର ବ୍ରତ । ଜଣେ ଦାୟିତ୍ୱବାନ ନାଗରିକ ହୋଇ ବଞ୍ଚିବା ପାଇଁ ସେ ପାଲଟିଛନ୍ତି ଉଦାହରଣ। ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ପାଲଟିଛନ୍ତି ଜରିଗୋଟାଳି । ତାଙ୍କର ଏହି ଅଦ୍ଭୁଦ କର୍ତ୍ତୃତ୍ବ ପାଇଁ ତାଙ୍କୁ ଘୃଣା ନୁହେଁ ବରଂ ମିଳିଛି ଅନେକ ପ୍ରଶଂସା । ଏମିତି ଜଣେ ବ୍ୟକ୍ତିତ୍ୱଙ୍କ କଥା ଆମେ କହୁଛୁ ଯିଏ ଅନ୍ୟମାନଙ୍କ ପାଲଟିଛନ୍ତି ଉଦାହରଣ ।
ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତର ହରିହର ମିଶ୍ରଙ୍କ ଦ୍ୱତୀୟ ପୁତ୍ର ଅଭିମନ୍ୟୁ ମିଶ୍ର । ଇଂଜିନିୟରିଂ ପାସ କରିବା ପରେ ଚାକିରୀ ପଛରେ ନଦୌଡ଼ି ଅଭିମନ୍ୟୁ ସମାଜସେବାକୁ ଆଦରି ନେଇଛନ୍ତି । ଆଉ ଏମିତି କିଛି ବାର୍ତ୍ତା ସେ ସମାଜକୁ ଦେଉଛନ୍ତି ଯାହା ସୁସ୍ଥ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ବର୍ତ୍ତମାନ ପଲିଥିନ ବ୍ୟାନ ହୋଇଥିବା ବେଳେ ଅଭିମନ୍ୟୁ ଗତ ୨ ବର୍ଷ ଧରି ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ଲୋକଙ୍କୁ କରୁଛନ୍ତି ସଚେତନ ।
ଜଣେ ଜରିଗୋଟାଳି ଭାବେ ଦେହସାରା ପ୍ଲାଷ୍ଟି ବୋତଲ ବାନ୍ଧି ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ କରୁଛନ୍ତି ସଚେତନ । ପ୍ରଥମେ ଯେତେବେଳେ ସେ ଏପରି ବେଶ ଧରି ଏମିତି ସଚେତନ କରିଥିଲେ ଲୋକେ ତାଙ୍କୁ ଚୋର ଓ ମାନସିକ ବିକୃତର ଆଖ୍ୟା ଦେଇ ଘଉଡ଼ାଇଥିଲେ । ମାତ୍ର ତାଙ୍କ ଉଦ୍ଦେଶ୍ୟ ସଂପର୍କରେ ଜାଣିବାକୁ ପାଇବା ପରେ ସମସ୍ତେ କରୁଛନ୍ତି ପ୍ରଶଂସା । ଦୀର୍ଘ ୨ ବର୍ଷ ଧରି ଲଗାତର ଭାବେ ପଲିଥିନ, ପ୍ଲାଷ୍ଟିକ ବୋତଲ, ଗୋଟାଇ ଚାଲିଛନ୍ତି ଅଭିମନ୍ୟୁ । ସକାଳ ହେଲେ ମୁଣ୍ଡରେ ପଗଡ଼ି ବାନ୍ଧି ହାତରେ ବାଡ଼ି ଓ ଛିଣ୍ଡା ମୁଣି ଧରି ଜରିଗୋଚାଳି ବେଶରେ ବାହାରି ପଡ଼ନ୍ତି ଏ ଦିଗହରା ସମାଜକୁ ସଚେତନ କରାଇବା ପାଇଁ । ତାଙ୍କର ଏ ନିଆରା ସଚେତନତା ପାଇଁ ଅନେକ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ ।
ହେଲେ କେବେ ନିଜ କାର୍ଯ୍ୟରୁ ସେ ବିରତି ନେଇନାହାନ୍ତି । ନିଜ ଅଞ୍ଚଳକୁ ସଫାସୁତୁରା ରଖିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ଯୋଡ଼ି ହୋଇ ଅଭିମନ୍ୟୁ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଅଭିମନ୍ୟୁଙ୍କ ଏହି ଚିନ୍ତାଧାରା ସତରେ ସମସ୍ତଙ୍କ ପାଇଁ ପ୍ରେରଣା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ