ବାଲେଶ୍ବର: ପୁଣି ଗାଁ ମୁହାଁ ହାତୀପଲ । କମୁନି ହାତୀ ମଣିଷର ଘମାଘୋଟ ଲଢେଇ। ଏସବୁକୁ ଫେଲ ମାରୁଛି ଅପରେସନ ଗଜରାଜ। ଯାହାଫଳରେ ହାତୀପଲ ଗାଁ ଭିରତକୁ ପଶି ନଷ୍ଟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଧନଜୀବନ। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ହାତୀଙ୍କ ଏହି ଉପଦ୍ରବ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୁଲଡିହା ଜଙ୍ଗଲରୁ ହାତୀପଲ ଔପଦା ବ୍ଲକ ଢୋଲପୁର ଗ୍ରାମରେ ପଶିଥିଲେ। ଏତେ ସଂଖ୍ୟାକ ହାତୀଙ୍କୁ ଦେଖି ଲୋକମାନେ ଡରରେ ଘର ଭିତରେ ପଶି ରହିଥିଲେ।
ଏପରିକି ହାତୀପଲ ଲୋକଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ। ହାତୀପଲ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୃଦ୍ଧପ୍ରଭାକର ପାତ୍ର ଓ ଜେମାମଣି ପାତ୍ର । ହାତୀପଲ ସେମାନଙ୍କ ଘରର କାନ୍ଥ ଭାଙ୍ଗିବା ସହ ଧାନ ନଷ୍ଟ କରିଦେଇଛନ୍ତି ।
ଗ୍ରାମବସୀ ଏକଜୁଟ ହୋଇ ହାତୀପଲକୁ ଘଉଡାଇବା ପ୍ରକ୍ରିୟା ଆପଣେଇ ଥିଲେ। ଦୀର୍ଘ ସମୟ ହାତୀ ଓ ମଣିଷର ଛକାପଞ୍ଜା ପରେ ହାତୀପଲ ଫେରିଯାଇଥିଲେ। ତେବେ ଅନେକ ସମୟରେ ହାତୀପଲ ଜନବସତି ଆଡକୁ ପଶି ଆସୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ