ବାଲେଶ୍ବର:ବାହନଗା ଷ୍ଟେସନ ନିକଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି । ରେଳମନ୍ତ୍ରୀ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କ'ଣ ପାଇଁ ଏତେ ବଡ ଦୁର୍ଘଟଣା ଘଟିଲା ତାହାର କାରଣ ଖୋଜାଯିବ । ଆହତଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଭୁବନେଶ୍ବର, ପଶ୍ଚିମବଙ୍ଗ ଏମ୍ସରେ ଚିକିତ୍ସା ସୁବିଧା ଦିଆଯିବ । ଏମ୍ସ ବ୍ୟତୀତ କଟକ, ଭୁବନେଶ୍ବର ମଧ୍ୟ ଆହତଙ୍କ ଚିକିତ୍ସା କରାଯିବ ବୋଲି ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ସମୟରେ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସକାଳୁ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରି ସାରିଛନ୍ତି । ସକାଳ ୮ଟା ସୁଦ୍ଧା ସେ ବାହାନଗାରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିବେ । ସନ୍ଧ୍ୟାରେ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି, ଅଗ୍ନିଶମ ଡିଜି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ।