ଓଡିଶା

odisha

ETV Bharat / state

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଚମକୁଛି ପ୍ରତିଭା, ମିଳୁଛି ପ୍ରଶଂସା - ତବଲା ବଜାଇବାରେ ମାହିର ଜିତ ଆଦିତ୍ୟ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳର ଜିତ ଆଦିତ୍ୟ । ପାଠ, ନୃତ୍ୟ, ଚିତ୍ରାଙ୍କନ ଠୁ ନେଇ ତବଲା ବଜାଇବାରେ ବି ଧୁରନ୍ଧର । ପିଲାଟି ଦିନରୁ ଅନେକ ପ୍ରତିଭାର ଅଧିକାରୀ ଜିତ । ପଢ଼ନ୍ତୁ ପୁରା ଖବର

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଚମକୁଛି ପ୍ରତିଭା, ମିଳୁଛି ପ୍ରଶଂସା
ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଚମକୁଛି ପ୍ରତିଭା, ମିଳୁଛି ପ୍ରଶଂସା

By ETV Bharat Odisha Team

Published : Nov 14, 2023, 10:52 PM IST

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଚମକୁଛି ପ୍ରତିଭା, ମିଳୁଛି ପ୍ରଶଂସା

ବାଲେଶ୍ବର: ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ପିଲାଟି ଦିନରୁ ହିଁ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳର ଜିତ ଆଦିତ୍ୟଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ଜଣେ ମେଧାବୀ ଛାତ୍ର ହେବା ସଙ୍ଗେ ସଙ୍ଗେ ତବଲା ଏବଂ ନାଲ ବଜାଇବାରେ ବି ପାରଙ୍ଗମ ଜିତ ।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ଗ୍ରାମର ଜୟନ୍ତ ରାଉତ ଏବଂ କୁଞ୍ଜଲତା ମାହୁନ୍ତଙ୍କ ପୁଅ ଜିତ ଆଦିତ୍ୟ । ଜିତ ଆଦିତ୍ୟ ଏବେ ସରସ୍ଵତୀ ଶିଶୁ ମନ୍ଦିରରେ ପଞ୍ଚମ ଶ୍ରେଣୀର ଛାତ୍ର ହୋଇଥିବା ହେଲେ ପାଠରେ ଯେମିତି ଆଗୁଆ ତବଲା ଏବଂ ନାଲ ବଜାଇବାରେ ମଧ୍ୟ ସେମିତି ପାରଙ୍ଗମ । ଖେଳକୁଦ ସାଙ୍ଗକୁ ଚିତ୍ର ଆଙ୍କିବା, ସୁନ୍ଦର ଭାବେ ନାଚିବା ଏବଂ ଗୀତ ଗାଇବାରେ ଜିତ ଆଦିତ୍ୟ ବେଶ ପାରଙ୍ଗମ ।

ଜିତ ଆଦିତ୍ୟଙ୍କୁ ଯେତେବେଳେ 5 ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ତବଲା ବଜାଇବାର ଇଚ୍ଛା ତାଙ୍କ ମାଆ ଜାଣିବାକୁ ପାଇଥିଲେ । କାରଣ 5 ବର୍ଷର ହୋଇଥିବା ବେଳେ ତାଙ୍କ ଯାହା ହାତରେ ପଡ଼େ ତାକୁ ବଜାଇ ଦିଅନ୍ତି । ଏହାକୁ ଦେଖି ତାଙ୍କ ମା' ତାଙ୍କ ପାଇଁ ମେଳାରୁ ଏକ ଧୁରୁକି ଆଣି ଦେଇଥିଲେ । ଏହାକୁ ମଧ୍ୟ ଜିତ୍‌ ଆଦିତ୍ୟ ବେଶ ସୁନ୍ଦର ଭାବେ ବଜାଇ ସମସ୍ତଙ୍କ ମନ କିଣି ନେଇଥିଲେ ।

ଏହାମଧ୍ୟ ପଢନ୍ତୁ..କୁନି ପ୍ରତିଭା କୀର୍ତ୍ତି କାଜଲ, ଗୀତରେ ଗୀତରେ ଜିତୁଛନ୍ତି ମନ

ଏହାରି ଭିତରେ ଜିତ ଆଦିତ୍ୟଙ୍କ ବୟସ ବଢ଼ିବା ପରେ ମା କୁଞ୍ଜଲତା ତାଙ୍କୁ ଏକ ନାଲ ଆଣି ଦେଇଥିଲେ । ନାଲ ପାଇବା ପରେ ଜିତ୍‌ ଆଦିତ୍ୟ ବହୁତ ଭଲ ଭାବେ ତାକୁ ବଜାଇ ଥିଲେ । ପୁଅର ଏମିତି ଆଗ୍ରହ ଦେଖି ଏହି କଳା ଆଗକୁ ବଢ଼ାଇବା ପାଇଁ ବାପା ମାଆ ମନସ୍ଥ କରିଥିଲେ । ପରେ ଜିତ ଆଦିତ୍ୟଙ୍କ ଜେଜେବାପା ଭଦ୍ରକରୁ ଜଣେ ଗୁରୁଙ୍କୁ ଶିକ୍ଷାଦାନ ପାଇଁ ନିୟୋଜିତ କରିଥିଲେ । ଧୀରେଧୀରେ ଜିତ୍‌ ଆଦିତ୍ୟ ଫଳା ଶିଖିବା ପରେ ତବଲା ସାଙ୍ଗକୁ ନାଲ ବେଶ ଭଲ ଭାବରେ ବଜାଇ ପାରିଥିଲେ ।

ପ୍ରଥମେ ଘରେ ହେଉଥିବା ସତସଙ୍ଗରେ ଜିତ ଆଦିତ୍ୟ ଗୀତର ତାଳେତାଳେ ତବଲା ଓ ନାଲ ବଜାଇଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନକୁ ଯାଇ ସେ ତବଲା ବଜାଇ ମନ କିଣିଥିଲେ । ସବୁଦିନ ସନ୍ଧ୍ୟାରେ ଜେଜେମାଙ୍କ ପାଖରେ ବସି ଠାକୁରଙ୍କ ଆଗରେ ନିଜେ ବାଜା ବଜାଇ ଗୀତ ଗାଇଥାନ୍ତି । ଏହାସହ ଜିତ ଆଦିତ୍ୟ ପ୍ରତିଦିନ ସକାଳ ସଂଜରେ ଠାକୁର ପୂଜା କରିଥାନ୍ତି ।

କୋମଳ ବୟସରେ ମନରେ ଭକ୍ତିଭାବ ଜାଗ୍ରତ କରାଇବା ସହ ନିଜର କଳା ବିକଶିତ କରାଇ ପାରୁଛନ୍ତି ଜିତ । ଖାଲି ସେତିକି ନୁହେଁ ଜିତ ଆଦିତ୍ୟ ଭଲ ନୃତ୍ୟ ପରିବେଷଣ ସାଙ୍ଗକୁ ଚିତ୍ର ମଧ୍ୟ ଆଙ୍କୁଛନ୍ତି । ନୃତ୍ୟ ପରିବେଷଣ ପାଇଁ ସେ ବିଭିନ୍ନ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । କୋମଳ ବୟସରୁ ଜିତ ଆଦିତ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଯାହା ବାଲେଶ୍ବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details