ଓଡିଶା

odisha

ETV Bharat / state

ବାହାନଗା ସ୍କୁଲରେ ‘ଭୂତ’ ଭୟ; ନିର୍ମାଣ ହେବ ନୂଆ ଗୃହ !

ବାଲେଶ୍ବର ବାହାନଗା ହାଇସ୍କୁଲର ନୂତନ ଗୃହ ନିର୍ମାଣ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଦୁର୍ଘଟଣା ପରେ ଶହ ମୃତଦେହ ବାହାନଗା ହାଇସ୍କୁଲ ପରିସରରେ ଥିବା ଶ୍ରେଣୀ କକ୍ଷ ଓ ଅଡିଟୋରିଅମରେ ରଖାଯାଇଥିଲା । ଯାହାକୁ ନେଇ ବର୍ତ୍ତମାନ ବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ

By

Published : Jun 8, 2023, 6:10 PM IST

ବାହାନଗା ହାଇସ୍କୁଲର ହୋଇପାରେ ନୂତନ ଗୃହ ନିର୍ମାଣ
ବାହାନଗା ହାଇସ୍କୁଲର ହୋଇପାରେ ନୂତନ ଗୃହ ନିର୍ମାଣ

ବାହାନଗା ହାଇସ୍କୁଲର ହୋଇପାରେ ନୂତନ ଗୃହ ନିର୍ମାଣ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ପୁରିଛି 6 ଦିନ । ସେହି କାଳରାତ୍ରୀର ସ୍ମୃତି ଏବେ ବି ତାଜା ହୋଇ ରହିଛି। ବାହାନଗା ରେଳ ଲାଇନ ପାଖରେ ଠିଆ ହେବାକୁ ଏବେବି ଲୋକମାନେ ଭୟ କରୁଛନ୍ତି । ଏହାକୁ ନେଇ ଆଉ ଏକ ବଡ ଖବର ସାମନାକୁ ଆସିଛି। ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲ ଗୃହ ଭଙ୍ଗାଯାଇପାରେ ବୋଲି କହିଛନ୍ତି ଜିଲ୍ଲାପାଳ ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ମୃତଦେହକୁ ବାହାନଗା ହାଇସ୍କୁଲ ପରିସରରେ ଥିବା ଶ୍ରେଣୀ କକ୍ଷ ଓ ଅଡିଟୋରିଅମରେ ରଖାଯାଇଥିଲା। ଶତାଧିକ ମୃତଦେହକୁ କୋଳେଇ ନେଇଥିବା ଏହି ବାହାନଗା ହାଇସ୍କୁଲ ପରିସର ବର୍ତ୍ତମାନ ଖାଁ ଖାଁ ହୋଇପଡିଛି। ଯେଉଁଠି ଏବେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯିବାକୁ ଭୟ କରୁଛନ୍ତି। ଛୁଟି ସରିବା ପରେ ବିଦ୍ୟାଳୟ ଖୋଲାଗଲେ କିଭଳି ଶିକ୍ଷାଦାନ ହେବ ସେନେଇ ଚିନ୍ତାରେ ଅଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ।

ବାହାନଗା ବିଡ଼ିଓଙ୍କ ପରାମର୍ଶ କ୍ରମେ ଦମକଳ ବାହିନୀଙ୍କ ଦ୍ୱାରା ବୁଧବାର ବିଦ୍ୟାଳୟ ପରିସରକୁ ସାନିଟସାଇଜ କରାଯାଇଥିଲା। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଆଜି ଏହି ବିଦ୍ୟାଳୟ ଗୃହ ପରିଦର୍ଶନ କରିଛନ୍ତି। ସେଠାରେ ଏପରି ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏବଂ ରକ୍ତର ଛିଟା ପଡ଼ିଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉକ୍ତ ଗୃହ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବାକୁ ଦାବି ହୋଇଥିଲା । ଶ୍ରେଣୀ ଗୃହରେ ଥିବା ବେଞ୍ଚ, ଡେକ୍ସରେ ମଧ୍ୟ ରକ୍ତଛିଟା ଲାଗିଥିବାରୁ ସ୍କୁଲ ଖୋଲିବା ପରେ କେମିତି ଶିକ୍ଷାଦାନ କରାଯିବ ସେନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚିନ୍ତା ବଢିଛି।

ତେବେ ଏହାକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ, ବିଦ୍ୟାଳୟ ପରିଚାଳନା କମିଟି ଯେଉଁ ଦାବି ରଖିବେ ତାହା ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ। ଉପରିସ୍ଥ ଅଧିକାରୀଙ୍କ ଅନୁମୋଦନ ମିଳିଲେ ସମସ୍ତ ଦାବି ପୂରଣ ହେବ। ଯେହେତୁ ଉକ୍ତ ଗୃହ ଆଜବେଷ୍ଟରେ ତିଆରି ଏଥିପାଇଁ ନୂତନ ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ମିଳିପାରେ ବୋଲି ସେ କହିଛନ୍ତି। ସେହିପରି ଦୁର୍ଘଟଣା ବେଳେ ଜିଲ୍ଲା ପ୍ରଶାସନ, ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମିଳିମିଶି କାମ କରିଥିବାରୁ ଅନେକଙ୍କ ଜୀବନ ବଞ୍ଚି ଯାଇଥିବା କହିବା ସହ ବାଲେଶ୍ବରବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ।

ତେବେ ବାହାନଗା ଟ୍ରେନ ଟ୍ରାଜେଡିରେ ବାଲେଶ୍ଵର ଜିଲ୍ଲାର ମୋଟ୍ 14 ଜଣ ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ 5 ଜଣ ଆହତଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ସିନ୍ଧେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details