ବାଲେଶ୍ବର:ଦାଣ୍ଡହରିପୁର ପଞ୍ଚାୟତ ଅଶିମିଳା ଗ୍ରାମର ଭାଗିରଥି ମିଶ୍ର । ଗତ ତିନି ବର୍ଷ ହେଲା କିଡନୀ ରୋଗରେ ଜର୍ଜରିତ ହୋଉଛନ୍ତି ଭାଗିରଥି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦିନେ ପୁରୋହିତ ଭାବେ କାମ କରିବା ସହ ଚାନ୍ଦିପୁରର ଏକ ଠିକା ସଂସ୍ଥାରେ ଚାକିରୀ କରୁଥିଲେ । ପ୍ରାୟ ତିନିବର୍ଷ ତଳେ ଭାଗିରଥୀଙ୍କ ପେଟରେ ବଥା ହେବା ସହ ବାରମ୍ବାର ଜ୍ୱର ଆସିବା, ଭୋକ ନ ଲାଗିବା ଭଳି ସମସ୍ୟା ଦେଖା ଦେଇଥିଲା । ଡାକ୍ତର ଦେଖାଇ ଔଷଧ ଖାଇବା ପରେ କିଛିଦିନ ବ୍ୟବଧାନରେ ଯନ୍ତ୍ରଣା ବୃଦ୍ଧି ପାଇବାରେ ଲାଗିଥିଲା । ପରେ ଭାଗିରଥି କଟକ ଓ ଭୁବନେଶ୍ୱରରେ ଚିକିତ୍ସା କରାଇଥିଲେ । ସେଠାରେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଥିବା ରିପୋର୍ଟ ଆସିଥିଲା ।
ଏହି ଖବର ଶୁଣିବା ମାତ୍ରେ ଭାଗିରଥୀଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଦୁଇଟି କିଡନୀ ପ୍ରତିରୋପଣ କରିବା ପାଇଁ 25 ରୁ 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା ଡାକ୍ତରଙ୍କ ଠାରୁ ଶୁଣିବା ପରେ ବଞ୍ଚିବାର ଆଶା ତାଙ୍କର କ୍ଷୀଣ ହୋଇଯାଇଥିଲା । ଏହା ଜାଣିବା ପରେ ଉକ୍ତ ଠିକା ସଂସ୍ଥା ବି ତାଙ୍କୁ ଚାକିରିରୁ ବାହାର କରିଦେଲା । ଏହା ପରେ ଲୋକଙ୍କ ଘରେ ପୂଜାର୍ଚ୍ଚନା କରି ପରିବାର ଚଳାଇବା ତାଙ୍କ ପକ୍ଷେ ବେଶ କଷ୍ଟ ହେଉଥିଲେ ମଧ୍ୟ ସୁଖେଦୁଖେ ତିନି ପ୍ରାଣୀଙ୍କ ମୁହଁରେ ଦାନା ଦେଉଥିଲେ । କିନ୍ତୁ ଦିନ ଗଡି ଚାଲିବା ସହ କଷ୍ଟ ମଧ୍ୟ ବଢିବାର ଲାଗିଛି ।
ଗୋଟେପଟେ ଭାଗିରଥୀଙ୍କ ପରିବାର ଚଳାଇବା ଚିନ୍ତା ଓ ଅନ୍ୟପଟେ କିଡନୀ ନଷ୍ଟ ଚିନ୍ତା ତାଙ୍କୁ ଭାଙ୍ଗି ପକାଇଛି । ଯାହାକିଛି ଜମିବାଡ଼ି, ଗହଣା ଥିଲା ଚିକିତ୍ସା ପାଇଁ ସେସବୁ ବିକ୍ରି ସରିଲାଣି । ଏବେ ପ୍ରତିମାସ ଡାଇଲିସୀସ ହେଉଥିବା ବେଳେ ସେତକ ଖର୍ଚ୍ଚ ତୁଲାଇବାକୁ ମଧ୍ୟ ସକ୍ଷମ ହେଉ ନାହାନ୍ତି ଭାଗିରଥି । ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ପରଘରୁ ମାଗିଯାଚି ମୁହଁରେ ଦାନା ଦେଉଛନ୍ତି ତିନି ପ୍ରାଣୀ । ସ୍ତ୍ରୀ ଓ ମ୍ୟାଟ୍ରିକ ପଢ଼ୁଥିବା ପୁଅ ହାତରେ ବ୍ୟାଗ ଧରି ଗାଁରୁ ଯାହା କିଛି ମାଗିକି ଆଣନ୍ତି ସେଇଥିରେ ପେଟକୁ ଦାନା ଯାଉଛି । ଚିକିତ୍ସା ପାଇଁ ଏବେ ସର୍ବହରା ହୋଇପଡିଲେଣି ଭାଗିରଥି ।