Manmohan Samal Balasore visit: 'ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ବାଲେଶ୍ଵର' ବାଲେଶ୍ବର: ନବ ନିଯୁକ୍ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁବାର ବାଲେଶ୍ଵର ଗସ୍ତ କରିଛନ୍ତି । ଜିଲ୍ଲା ଗସ୍ତ କରି ଦଳୀୟ ସଂଗଠନ ସୁଦୃଢ଼ କରିବା ପାଇଁ ଆହ୍ବାନ ଦେବା ସହ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚିବା ନେଇ ବାର୍ତ୍ତା ଦେଇଛନ୍ତି । ୨୦୨୪ ନିର୍ବାଚନରେ ବାଲେଶ୍ଵର ଜିଲ୍ଲାରେ ୮ରୁ ୮ ବିଧାନସଭାରେ ବିଜେପିକୁ ଜିତାଇବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ମନମୋହନ ।
ସାମଲ ପ୍ରଥମେ ନହରପାଟଣା ଛକଠାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସହିତ ମିଶି ବୃକ୍ଷରୋପଣ କରିବା ପରେ ଫୁଲାଡି ଛକଠାରୁ ଯୁବମୋର୍ଚ୍ଚା ଦ୍ଵାରା ଆୟୋଜିତ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଝାଡେଶ୍ବର ମନ୍ଦିର ନିକଟରେ ପହଞ୍ଚି ବାବା ଝାଡେଶ୍ବରଙ୍କ ପୂଜାର୍ଚ୍ଚନା କରିଥିଲେ ।
ଏହା ବି ପଢନ୍ତୁ- ନଦୀରେ ମିଶୁଛି କାରଖାନାର ବିଷାକ୍ତ ପାଣି: ଉଜୁଡୁଛି ଚାଷ ଜମି, ବଢୁଛି ଜନ ଅସନ୍ତୋଷ
ସେଠାରୁ ଏକ ବିରାଟ ପଟୁଆରରେ ବାହାରି ସହର ମଧ୍ୟଦେଇ ଗାନ୍ଧୀ ସ୍ମୃତି ଭବନଠାରେ ପହଞ୍ଚି ନଗର ବିଜେପି ପକ୍ଷରୁ ଆୟୋଜିତ ଜଳଛତ୍ରର ଉଦଘାଟନ କରିବା ପରେ ଦଳ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ସାମଲ ରାଜ୍ୟ ସରକାରଙ୍କ ଅପାରଗତା ବଖାଣିବା ସହିତ ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ଏବଂ ବାଲେଶ୍ଵର ଜିଲ୍ଲାର ସମସ୍ତ ବିଧାନସଭାରେ ବିଜେପିକୁ ଜିତାଇବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ଉକ୍ତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ପଦାଧିକାରୀ, ସମସ୍ତ ନିର୍ବାଚନ ମଣ୍ଡଳୀର ନେତା ଓ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ରାଜ୍ୟ ସଭାପତିଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ।
ଏହି ଅବସରରେ ମନମୋହନ କହିଛନ୍ତି, "ବାଲେଶ୍ଵର ମାଟି ଅନେକ ନେତା ଗଢ଼ିଛି, ଏହି ମାଟି ସହିତ ବହୁ ପୁରୁଣା ସମ୍ପର୍କ । ଏଇଠି ସାଂଗଠନିକ ସ୍ତରୀୟ ସମସ୍ତ କାର୍ଯ୍ୟରେ ମୁଁ ପୂର୍ବରୁ ବହୁବାର ଜଡିତ ହୋଇ ସାରିଛି । ସ୍କୁଲ ସମୟରୁ ବାଲେଶ୍ଵରରେ ମୁଁ ଜନସଂଘ କାର୍ଯ୍ୟକ୍ରମ ଦେଖିଛି । ଓଡ଼ିଶା ରାଜନୀତିର ପ୍ରାଣକେନ୍ଦ୍ର ହେଉଛି ବାଲେଶ୍ଵର ।" ଏମିତିକି ସଂଗଠନକୁ ବାଲେଶ୍ଵର ବହୁଥର ସମର୍ଥନ ଜଣାଇଥିବା ସେ କହିଛନ୍ତି । ଆଗାମୀ ଦିନରେ ବିଜେପି ପ୍ରତି ଲୋକଙ୍କ ବହୁ ସଂଖ୍ୟାରେ ସମର୍ଥନ ରହିବ ବୋଲି ଆଶା ପ୍ରକଟ କରିଛନ୍ତି ମନମୋହନ ।
ଇଟିଭି ଭାରତ, ବାଲେଶ୍ବର