ବାଲେଶ୍ବର :କ୍ୟାନସରରେ ଛଟପଟ ୧୩ ବର୍ଷିୟା ମିନତୀ । ମେଡିକାଲ ବେଡରେ ପଡି ବଞ୍ଚିବା ପାଇଁ କରୁଛି ସଂଗ୍ରାମ । ଅର୍ଥ ଅଭାବରୁ ହୋଇ ପାଇପାରୁନି ଉତ୍ତମ ଚିକିତ୍ସା । ହେଲେ ଆଜି ମିନତୀର ଏହି ଅସୁବିଧା ପାଇଁ ପରିବାର ଲୋକେ ଦାୟୀ କରିଛନ୍ତି ମିନତୀଙ୍କୁ ଲାଳନ ପାଳନ କରିବା ପାଇଁ ନେଇଥିବା ଦମ୍ପତିଙ୍କ ନାଁରେ । ଏନେଇ ଏହି ଦମ୍ପତିଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ସୂଚନାନୁସାରେ ଗ୍ରାମର ରଥ ସିଂ ଓ ସାବିତ୍ରୀ ସିଂଙ୍କ ସାନଝିଅ ମିନତୀଙ୍କୁ ଦିଲ୍ଲୀର ଜଣେ ଦମ୍ପତି ଲାଳନ ପାଳନ କରିବା ପାଇଁ ନେଇଯାଇଥିଲେ । ସେଠାରେ ମିନତୀ ଏକ ମନ୍ଦିର ସିଡିରୁ ଖସି ପଡିବାରୁ ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ପରେ ଏହି ଆଘାତ କ୍ୟାନ୍ସରର ରୂପ ନେଇଛି। ମିନତୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଭାଇ ରାଜମିସ୍ତ୍ରୀ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ଆଉ ଏବେ ମିନତୀଙ୍କ ଚିକିତ୍ସା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ହେଉଥିବାବେଳେ ଅଭାବୀ ପରିବାର ଏଥିପାଇଁ ଅସମର୍ଥ ।
ଝିଅର ଏମିତି କଷ୍ଟ ପାଇଁ ପରିବାର ଲୋକେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାୟୀ କରି ତାଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଠିକ ସମୟରେ ମିନତୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇନଥିବାରୁ ପରବର୍ତ୍ତୀ ସମୟରେ ଉକ୍ତ ଆଘାତ ପ୍ରାପ୍ତ ସ୍ଥାନଟି ଯନ୍ତ୍ରଣା ଦେବା ସହ ଫୁଲି ଯାଇଥିଲା ଓ ଗୁରୁତର ଅବସ୍ଥା ହେବାରୁ ସେମାନେ ପରିବାର ପାଖରେ କିଛି ଦିନ ଆରାମ କରିବାର ବାହାନା ଦେଖାଇ କର୍କଟ ରୋଗରେ ଅସମ୍ପୂର୍ଣ୍ଣ ଚିକିତ୍ସା କରାଇ ଛାଡି ଦେଇଥିଲେ ।