ଓଡିଶା

odisha

ETV Bharat / state

ଦୁର୍ଘଟଣାରେ ହରାଇଲେ ପୁଅ, ହୀରାମୋତି ହୋଇ ଜୀବନରେ ଆସିଲେ ପୁଅ ଓ ଝିଅ - ବାଲେଶ୍ବର ଖବର

ବାଇକ ଦୁର୍ଘଟଣାରେ ଆରପାରିକୁ ଚାଲିଗଲା ଏକମାତ୍ର ଭେଣ୍ଡିଆ ପୁଅ । ସବୁ କିଛି ହରାଇ ସାରିଥିବା ବାଲେଶ୍ଵର ସହଦେଵଖୁଣ୍ଟା ଲକ୍ଷ୍ମୀଧର ଜେନାଙ୍କ ଘରକୁ ରାଜ୍ୟ ସରକାରଙ୍କ ପୋଷ୍ୟ ସନ୍ତାନ ଯୋଜନା ସୁଖ ଫେରାଇ ଆଣିଛି । ଦେଖନ୍ତୁ ଏହି ରିପୋର୍ଟ

Balasore couple lost only child in accident
Balasore couple lost only child in accident

By ETV Bharat Odisha Team

Published : Nov 25, 2023, 9:52 PM IST

ହୀରାମୋତି ହୋଇ ଜୀବନରେ ଆସିଲେ ପୁଅ ଓ ଝିଅ

ବାଲେଶ୍ବର:ବାଇକ ଦୁର୍ଘଟଣାରେ ଆର ପାରିକୁ ଚାଲିଗଲା ଏକମାତ୍ର ଭେଣ୍ଡିଆ ପୁଅ । ହସଖୁସିରେ ଚାଲୁଥିବା ସଂସାରରେ ହଠାତ ଘୋଟି ଆସିଲା ଘନ ଅନ୍ଧାର । ଜୀବନରେ ସବୁକିଛି ହରେଇ ସାରିଥିବା ପରି ମନେ ହେଉଥିବା ବେଳେ ହଠାତ ସରକାରୀ ଯୋଜନା ଏବଂ ଭଗବାନଙ୍କ କୃପାରୁ ଏବେ ହଜିଲା ଦୁଃଖ ଲାଘବ ହେଉଛି । ଗୋଟିଏ ସନ୍ତାନ ସିନା ଚାଲିଗଲା ହେଲେ ଏବେ ଦୁଇଟି ସନ୍ତାନ ପାଇ ପରିବାରରେ ଖୁସି ଫେରୁଛି । ବାଲେଶ୍ଵର ସହଦେଵଖୁଣ୍ଟା ଗୋଶାଳପଦା ଅଞ୍ଚଳର ବ୍ୟବସାୟୀ ଲକ୍ଷ୍ମୀଧର ଜେନାଙ୍କ ଏମିତି ଏକ ହସଖୁସିର ପରିବାରରେ ଯେବେ ଅନ୍ଧାର ଘୋଟିଥିଲା ସେତେବେଳେ ସରକାରଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ଯୋଜନା ତାଙ୍କ ଜୀବନରେ ପୁଣି ଥରେ ହସଖୁସି ଫେରାଇ ଆଣିଥିବା ଦେଖିବାକୁ ମିଳିଛି ।

ଲକ୍ଷ୍ମୀଧର ଜେନା, ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରେ ଏକ ହାର୍ଡୱେର ଷ୍ଟୋର କରି ପରିବାର ପ୍ରତିପୋଷଣ କରନ୍ତି । ଦୀର୍ଘବର୍ଷ ଧରି ସେ ଯେତେବେଳେ ହାଇଦ୍ରାବାଦରେ ରହୁଥିଲେ ସେତେବେଳେ ସେଠାରେ ଓଡିଆମାନଙ୍କୁ ସଂଗଠିତ କରିଥିଲେ । ଓଡିଶାରୁ ଆସୁଥିବା କୌଣସି ବ୍ୟକ୍ତି ହାଇଦ୍ରାବାଦରେ ଅସୁବିଧାରେ ପଡ଼ିଲେ ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ଏହି ସଂଗଠନ ସହଯୋଗ କରୁଥିଲା । ସେ ମେଡିକାଲ ସେବା ହେଉ କିମ୍ବା ଅନ୍ୟ କିଛି ସେବା ସବୁଥିରେ ସହଯୋଗ କରିବା ପାଇଁ ଲକ୍ଷ୍ମୀଧର ଜେନାଙ୍କ ସହ ତାଙ୍କ ସହଯୋଗୀଙ୍କ ପ୍ରଚେଷ୍ଟା ଜାରି ରହୁଥିଲା । ସେଇଠି ରହୁଥିବା ବେଳେ ଲକ୍ଷ୍ମୀଧରଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ଅତି ଆଦରରେ ତାଙ୍କ ନାଁ ଏଲ ସିଦ୍ଧାର୍ଥ ଶଙ୍କର ବୋଲି ଦେଇଥିଲେ । ବାପାଙ୍କ ଏମିତି ସମାଜସେବା କାର୍ଯ୍ୟକୁ ପିଲାବେଳୁ ସିଦ୍ଧାର୍ଥ ଅନୁକରଣ କରି ବଡ଼ ହେବାପରେ ମଧ୍ୟ ସେହି କାର୍ଯ୍ୟରେ ସେ ଲିପ୍ତ ରହିଥିଲେ ।

୨୦୧୮ ମସିହାରେ ଲକ୍ଷ୍ମୀଧର ବାଲେଶ୍ଵର ଫେରିବା ପରେ ସିଦ୍ଧାର୍ଥ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ଏହାରି ଭିତରେ ଗତ ଜୁନ ୨ ତାରିଖ ବାହାନଗା ନିକଟରେ ହୋଇଥିଲା ଭୟଙ୍କର ରେଳ ଦୁର୍ଘଟଣା । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଥିଲା ଆଉ ହଜାର ହଜାର ଲୋକ ଆହତ ହୋଇଥିଲେ । ଦୁର୍ଘଟଣା ସ୍ଥଳରେ ସିଦ୍ଧାର୍ଥ ପହଞ୍ଚି ନିଜର କର୍ତ୍ତବ୍ୟ କରିଥିଲେ । ଆହତମାନଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରିବା ସହ ସେମାନଙ୍କୁ କେମିତି ମେଡିକାଲ ପହଞ୍ଚାଇ ହେବ ସେସବୁ କାର୍ଯ୍ୟ କରିଥିଲେ । ଅନେକ ମୃତଦେହ ନିଜ କାନ୍ଧରେ ବୋହିଥିବା ସିଦ୍ଧାର୍ଥ ଯେ ଏତେ କମ ବୟସରେ ନିଜେ ଆରପାରିକୁ ଚାଲିଯିବେ ସେକଥା ବା କିଏ ଜାଣିଥିଲା । ରେଳ ଦୁର୍ଘଟଣାରେ ମୃତାହାତଙ୍କ ଉଦ୍ଦେଶ୍ୟରେ ବାହାନଗା ହାଇସ୍କୁଲ ପଡ଼ିଆରେ ଏକଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସେଠାକୁ ସିଦ୍ଧାର୍ଥ ନିଜ ବାଇକ ଯୋଗେ ଆଉ ଏକ ସାଙ୍ଗକୁ ବସାଇ ବାଲେଶ୍ଵରରୁ ବାହାରିଥିଲେ ।

ଏହା ବି ପଢନ୍ତୁ- ବାଲେଶ୍ବରରୁ ଦୁଇ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲି ଦମ୍ପତି

ହେଲେ କିଏ ଜାଣିଥିଲା ବାଟରେ ତାଙ୍କୁ ଜଗି ବସିଥିଲା ଯମ । ବେଗୁନିଆ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ ସିଦ୍ଧାର୍ଥ ପ୍ରାଣ ହରାଇଥିଲେ । ସମାଜସେବାରେ ନିଜକୁ ନିୟୋଜିତ କରିଥିବା ସିଦ୍ଧାର୍ଥଙ୍କ ଏମିତି ଅକାଳ ମୃତ୍ୟୁକୁ ପରିବାର ସମେତ ବନ୍ଧୁ ବର୍ଗ ସହଜରେ ଗ୍ରହଣ କରି ପାରିନଥିଲେ । ଯିଏ ରେଳ ଦୁର୍ଘଟଣାରେ ଏତେ ସବୁ କାର୍ଯ୍ୟ କରି ପ୍ରଶଂସା ସାଉଣ୍ଟିଥିଲା ଆଜି ସେ ଦୁନିଆ ଛାଡି ଚାଲିଗଲା । ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ ବାପା ଲକ୍ଷ୍ମୀଧର ଏବଂ ମାଆ ଅଞ୍ଜନା । ସମ୍ପୂର୍ଣ୍ଣ ଭାବେ ବାପାମାଆ ଭାଙ୍ଗି ପଡିଥିବା ବେଳେ ଆଖିରୁ ଦୁହିଁଙ୍କ ଲୁହ ଶୁଖିବାର ନାଁ ନେଉ ନଥିଲା । ଏହାରି ଭିତରେ ସରକାରୀ ସ୍ତରରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଯୋଜନା ସମ୍ପର୍କରେ ଜାଣିବାକୁ ପାଇଥିଲେ ଲକ୍ଷ୍ମୀଧର । ପ୍ରଶାସନିକ ସ୍ତରରେ ବୁଝାବୁଝି କରିବା ସହ ଅନଲାଇନ ଜରିଆରେ ଲକ୍ଷ୍ମୀଧର ପୌଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରିଥିଲେ ।

ଏହାପରେ ଭୁବନେଶ୍ୱରରୁ ଜଣେ କର୍ମଚାରୀ ଲକ୍ଷ୍ମୀଧରଙ୍କ ପାଖକୁ ଆସି ସମସ୍ତ କଥା ବୁଝାବୁଝି କରିଥିଲେ । ଏହାପରେ ଗଞ୍ଜାମ ଧରକୋଟ ଅଞ୍ଚଳରେ ଥିବା ଏକ ଅନାଥ ଆଶ୍ରମରେ ଦୁଇ ଭାଇ ଭଉଣୀଙ୍କୁ ଆପଣେଇ ନେଇଥିଲେ ଲକ୍ଷ୍ମୀଧର । ଦୁଇ ଭାଇ ଭଉଣୀଙ୍କ ମୁଣ୍ଡରେ ହାତ ରଖି ଲକ୍ଷ୍ମୀଧର ଏବଂ ଅଞ୍ଜନା ବାପାମାଆର ଦାୟିତ୍ୱ ତୁଲାଇବା ସହ ପୁଅକୁ ହରାଇବାର ସାମାନ୍ୟ ଦୁଃଖ ଲାଘବ ହୋଇଥିବା ଅନୁମାନ କରି ହେଉଛି । ପୁଅ ଦୀପକ ୧୫ ବର୍ଷର ହୋଇଥିବା ବେଳେ ସେ ଦଶମ ଶ୍ରେଣୀରେ ପାଠ ପଢୁଛି ଏବଂ ଝିଅ ଦୀପାଲି ୧୩ ବର୍ଷର ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ଉଭୟ ସହରର ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଛନ୍ତି ।

ଏହା ବି ପଢନ୍ତୁ- ଦିବ୍ୟାଙ୍ଗ ଦୁଇ ଭଉଣୀଙ୍କୁ ମିଳିଲା ମା’ର ପଣତ, କୋଳେଇ ନେଲେ ଆମେରିକୀୟ ଦମ୍ପତି

ଏନେଇ ଲକ୍ଷ୍ମୀଧର କହିଛନ୍ତି, " ପୁଅର ବିୟୋଗକୁ ଆମେ ମଲା ପର୍ଯ୍ୟନ୍ତ ତ ଭୁଲି ପାରିବୁ ନାହିଁ । ହେଲେ ପରିବାରରେ ଏହି ଦୁଇ ପିଲା ହୀରାମୋତି ଭଳି ଆସିଛନ୍ତି । ସରକାରୀ ଯୋଜନା ସମ୍ପର୍କରେ ଜାଣିବା ପରେ ଏହି ୨ ଭାଇ ଭଉଣୀକୁ ଆମେ ପୋଷ୍ୟ ଭାବେ ଗ୍ରହଣ କରିଛୁ । ସେମାନେ ଏଠାରେ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢୁଛନ୍ତି । "

ସତରେ କିଏ ଏଠି ପୁଅ ହରାଇ ସର୍ବସ୍ୱ ହରାଇଥିବା ବେଳେ କେହି ପୁଣି ବାପାମାଆ ହରାଇ ଅନାଥ ହୋଇଯାଇଥିଲା । ଦୁଇପିଲା ଭାଇ ଭଉଣୀ ହୋଇଥିବା ବେଳେ ବାପାମାଆଙ୍କୁ ହରାଇ ଯେମିତି ଜୀବନରେ ସବୁ ଖୁସି ହରାଇ ଦେଇଥିଲେ ସେମିତି ଲକ୍ଷ୍ମୀଧର ମଧ୍ୟ ପୁଅକୁ ହରାଇ ସବୁକିଛି ହରାଇ ଦେଇଥିଲେ । ଏବେ ଉଭୟ ଉଭୟଙ୍କୁ ପାଇ ବେଶ ଖୁସି ଥିବା ବେଳେ ଏମାନଙ୍କ ଭବିଷ୍ୟତ ଗଢି ତୋଳିବା ପାଇଁ ଲକ୍ଷ୍ମୀଧର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଯେଉଁ ପୁଅ ଦୁର୍ଘଟଣାର କରାଳ ରାତିରେ ସମସ୍ତଙ୍କ ପାଇଁ ଦେବଦୂତ ସାଜିଥିଲା ସେ ତ କେବେ ମନରୁ ଲିଭିବନି ହେଲେ ଏ ଦୁଇ ପିଲା ଲକ୍ଷ୍ମୀଧରଙ୍କ ଜୀବନରେ ଆଉ ଏକ ନୂଆ ଖୁସିର ଅଧ୍ୟାୟ ନିଶ୍ଚୟ ସୃଷ୍ଟି କରିବେ ବୋଲି ଆଶା କରାଯାଇପାରେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details