ବାଲେଶ୍ଵର: ବାଲେଶ୍ବର ଗସ୍ତରେ ଆସୁଛନ୍ତି 5T ସଚିବ ଭି. କେ ପାଣ୍ଡିଆନ । ଏଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ଦଳୀୟ ନେତାମାନେ ସମସ୍ତେ ତତ୍ପର । ଏହାରି ଭିତରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ 5T ସଚିବଙ୍କୁ ପଚାରିଛି ପାଞ୍ଚଟି ପ୍ରଶ୍ନ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବା ସହ ପାଞ୍ଚଟି ପ୍ରଶ୍ନ ରଖିଛି କଂଗ୍ରେସ ।
ବାଲେଶ୍ଵର ଉତ୍ତର ଓଡ଼ିଶାର ସବୁଠାରୁ ପୁରାତନ ଓ ଗୁରୁତ୍ଵପୂର୍ଣ୍ଣ ସହର ହୋଇଥିବା ବେଳେ ବିଜେଡି ଦୀର୍ଘ ୨୩ ବର୍ଷ ଧରି ଜନସାଧାରଣଙ୍କ ଠାରୁ ଅହେତୁକ ସମର୍ଥନ ପାଇ ଆସୁଛି । କିନ୍ତୁ ପ୍ରତିଦାନରେ ବାଲେଶ୍ବରବାସୀଙ୍କୁ ଲଗାତର ଭାବେ ଅବହେଳା କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି, "ଏବେ ଓଡ଼ିଶାରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ସଚିବ ମନ୍ତ୍ରୀମାନଙ୍କ ଗସ୍ତରେ ସମସ୍ତ ଦାୟିତ୍ୱ ନେବା କଥା ମାତ୍ର ମନ୍ତ୍ରୀମାନେ ସଚିବଙ୍କ ଗସ୍ତ ପାଇଁ ବେଶ ତତ୍ପର । ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ସଚିବଙ୍କ ପାଇଁ ପ୍ରଶାସନ ଠାରୁ ରାଜନେତା ଯାଏ ଯେମିତି ବ୍ୟସ୍ତ ହୋଇ ପଡୁଛନ୍ତି । ଲାଗୁଛି ସତେ ଯେମିତି ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଗସ୍ତରେ ଆସୁଛନ୍ତି । ଏହାକୁ ନେଇ କଂଗ୍ରେସ ପାଞ୍ଚଟି ପ୍ରଶ୍ନ କରିଛି ।"
ବାଲେଶ୍ଵର ଜିଲ୍ଲାକୁ ଉତ୍ତର ଓଡ଼ିଶା ତଥା ପୂର୍ବ ଭାରତର ଏକ ସ୍ବାସ୍ଥ୍ୟ ହବ୍ କରିବା ଉଦ୍ଦେଶ୍ୟରେ ୨୦୦୯ ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଦ୍ଵାରା ୩୫୦ ଶଯ୍ୟାବିଶିଷ୍ଟ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ବିଶ୍ବ ସ୍ତରୀୟ ଜନସ୍ବାସ୍ଥ୍ୟ ବିଦ୍ୟାଳୟ ଲାଗି ମଞ୍ଜୁର କରାଯାଇଥିଲା । ମେଡ଼ିକାଲ କଲେଜ ଏବଂ ମୁଖ୍ୟ ଡାକ୍ତରଖାନାରେ ନୂତନ ପ୍ରସୂତି, ଶିଶୁ ବିଭାଗ ଓ ଟ୍ରୋମା ସେଣ୍ଟର ସ୍ଥାପନ କରାଯାଇଥିଲା । ବର୍ତ୍ତମାନର ଏନଡିଏ ସରକାର ବାଲେଶ୍ବରରେ ଏମ୍ସକୁ ଗୋଟିଏ OPDରେ ସୀମିତ ରଖି ଅନ୍ୟତ୍ର ସ୍ଥାନାନ୍ତରିତ କଲେ ସେତେବେଳେ ରାଜ୍ୟ ସରକାରରେ BJD ଥାଇ ନିରବ ରହିଲା କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।