ବାଲେଶ୍ବର: ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଲାଗିକରି ଥିବା ଦୀପକ ରଞ୍ଜନ ଦାସଙ୍କ ଚା' ଦୋକାନ ସବୁବେଳେ ଚର୍ଚ୍ଚାରେ ରହିଛି । ଦୀପକ ବୋଲି ତାଙ୍କୁ ବହୁତ କମ ଲୋକ ଜାଣିଥିବା ବେଳେ ତାଙ୍କୁ ବୁଲୁ ବୋଲି ସମସ୍ତେ ଜାଣନ୍ତି । ବୁଲୁଭାଇ ପେଶାରେ ଜଣେ ଚା' ଦୋକାନୀ ସତ କିନ୍ତୁ ତାଙ୍କ ଭିତରେ ରହିଛି ମଣିଷପଣିଆ । ସକାଳ ଠାରୁ ବୁଲୁ ଚା' ତିଆରି କରି ଲୋକଙ୍କୁ ପିଆଉଥିବା ବେଳେ ଦ୍ବିପ୍ରହର ବେଳକୁ ଆରମ୍ଭ ହୁଏ ବୁଲା କୁକୁରମାନଙ୍କୁ ଖାଦ୍ୟବଣ୍ଟା । ଘରୁ ରୋଷେଇ କରି ବୁଲୁ ନିଜ ହାତରେ କୁକୁରମାନଙ୍କୁ ବାଢି ଦିଅନ୍ତି ଭାତ ଓ ତରକାରୀ । କୁକୁରମାନେ ବି ବୁଲୁଙ୍କ ହାତରୁ ଖାଇବା ପାଇଁ ସତେ ଯେମିତି ବ୍ୟାକୁଳ ହୋଇ ଅନେଇଥାନ୍ତି ।
ପଶୁ ଓ ମଣିଷ ଭିତରେ ଥିବା ଏ ପ୍ରେମକୁ ଦେଖିଲେ ଯେ କେହିବି ତରଳିଯିବ ନିଶ୍ଚୟ । ଯେତେବେଳେ ଲକଡାଉନ କଡ଼ାକଡ଼ି ଲାଗୁ ହୋଇଥିଲା ସେତେବେଳେ ବି ବୁଲୁ ଘରୁ ରନ୍ଧାଖାଦ୍ୟ ଆଣି କୁକୁରମାନଙ୍କୁ ଖୁଆଉଥିଲେ । ଏମିତିକି ଯେବେ ଘରୁ ବାହାରିବା ପାଇଁ କଟକଣା ଲାଗୁ ହୋଇଥିଲା ସେତେବେଳେ କୁକୁରମାନଙ୍କୁ ଖାଦ୍ୟ ଯୋଗାଇ ନପାରି ବୁଲୁ ବେଶ ମନଦୁଃଖ କରିଥିବା ସେ କହିଛନ୍ତି । ନିଜ ହାତରେ କୁକୁରମାନଙ୍କୁ ଖୁଆଇବା ପରେ ବେଶ ଆତ୍ମସନ୍ତୋଷ ପାଉଥିବା ବୁଲୁ କହିଛନ୍ତି । ଏମିତିବି ବର୍ତ୍ତମାନ ବୁଲାକୁକୁରମାନେ ବୁଲୁଙ୍କ ପରିବାର ସଦସ୍ୟ ଭଳି ପାଲଟିଯାଇଛନ୍ତି ।