ବାଲେଶ୍ବର: ଗୁଜୁରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିବାବେଳେ ଏବେ ସବୁ ମହଲର ଦାୟିତ୍ବକୁ ବଢାଇ ଦେଇଛି । ବିଶେଷ ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ଅନେକ ଜୀବନ ଅକାଳରେ ଚାଲି ଯାଇଥିଲା । ଯାହାକୁ ନେଇ ଏବେ ଓଡିଶା ଅଗ୍ନିଶମ ବିଭାଗ ବିଭିନ୍ନ କୋଚିଂ ସେଣ୍ଟର ଉପରେ ପର୍ଯ୍ୟାୟ କ୍ରମେ ଚଢ଼ାଉ କରିବା ସହ ସଚେତନ କରାଉଥିବା ଦେଖିବାକୁ ମିଳିଛି ।
ଏହି କ୍ରମରେ ଆଜି ବାଲେଶ୍ବର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟର ଉପରେ ଅଗ୍ନିଶମ ବିଭାଗ ଚଢ଼ାଉ କରିଥିବା ଦେଖିବାକୁ ମିଳିଥିଲା । 10ଟି ପ୍ରମୁଖ କୋଚିଂ ସେଣ୍ଟରରେ 10ଟି ଟିମ ଦ୍ବାରା ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଥିଲା । ଏହାସହ କୋଚିଂ ସେଣ୍ଟରରେ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ନିକାଣ୍ଡରେ କେମିତି ସୁରକ୍ଷିତ ଭାବେ ନିଜ ଜୀବନକୁ ବଞ୍ଚାଇପାରିବେ ସେନେଇ ସଚେତନ କରାଇଥିଲେ ।