ବଲାଙ୍ଗୀର: ପଶ୍ଚିମ ଓଡିଶାର ପରିଚୟ ଚାଷ । ସମ୍ବଲପୁରଠୁ ସୁନ୍ଦରଗଡ..ବରଗଡ ଓ ବଲାଙ୍ଗୀର ଚାଷ ଉପରେ ନିର୍ଭରଶୀଳ ସଭିଏଁ। ପୁଣି ଓଡିଶାର ଭାତହାଣ୍ଡି କଳାହାଣ୍ଡି । ହେଲେ ଏସବୁ ସ୍ଥାନରେ ଚରମ ଅବହେଳା ଜଳଜଳ ।
ଜଳ ସମ୍ପଦରେ ଭରପୂର, କିନ୍ତୁ ଚାଷୀଙ୍କୁ ଜଳ ସଙ୍କଟ ଚାଷ ପ୍ରଣାଳୀ ଓ ଚାଷୀଙ୍କ ଅବସ୍ଥା ନ କହିବା ଭଲ। ଏପରିକି ବଲାଙ୍ଗୀରରେ ମଧ୍ୟ ସମାନ ସ୍ଥିତି। ଜିଲ୍ଲାରେ ଜଳ ସମ୍ପଦ ଭରପୁର । ବୋହୁଛି ମୋଟ ଆଠଟି ନଦୀ ଓ 22ଟି ନାଳ । ରହିଛି ସୁକ ତେଲ, ରାହୁଲ, ତେଲ, ଅଙ୍ଗ ଭଳି ମୁଖ୍ୟ ନଦୀ । ସେହିପରି ଅବ୍ୟବହୃତ ହୋଇପଡିଛି 250ରୁ ଅଧିକ ଜଳାଶୟ । କିନ୍ତୁ ଚାଷୀଙ୍କୁ ମିଳୁନି ଜଳସେଚନର ସୁବିଧା । କୌଣସି ନଦୀ କିମ୍ବା ନାଳରେ ଏଯାଏଁ ତିଆରି ହୋଇନି ବ୍ୟାରେଜ। ଅଟକୁନି ବଳକା ପାଣି । ଯେତେ ପ୍ରକଳ୍ପ କାମ ଚାଲିଛି ଏଯାଏଁ ସମ୍ପୂର୍ଣ ହୋଇନି ।
ତେବେ ଜିଲ୍ଲାରେ ଜଳ ସଙ୍କଟ ନେଇ ଅଚିନ୍ତାରେ ସରକାର । କୃଷି ବିଭାଗ ସୂଚନାନୁସାରେ ଜିଲ୍ଲାରେ ରହିଛି ମୋଟ 29 ପ୍ରତିଶତ ଜଳସେଚନ ବ୍ୟବସ୍ଥା । ସେହିପରି ମୋଟ 3 ଲକ୍ଷ 45 ହଜାର ହେକ୍ଟର ଚାଷଜମିରୁ 1 ଲକ୍ଷ 2 ହଜାର ହେକ୍ଟର ଜଳସେଚିତ । ଭଲ ବର୍ଷା ହେଲେ ଏହି ଜଳସେଚନ ପ୍ରତିଶତ ମଧ୍ୟ ବୃଦ୍ଧି ପାଏ । ଏପରି ସ୍ପଷ୍ଟୀକରଣ ଦେଇ ବିଭାଗୀୟ ଅଧିକାରୀ ନିଜ ଦାୟିତ୍ବ ସାରିଦେଇଛନ୍ତି ।
ହେଲେ ପ୍ରକୃତ ସମସ୍ୟା ଭୋଗୁଛି ଚାଷୀ । ଜିଲ୍ଲାର ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି । ଜିଲ୍ଲାରେ ଭରି ରହିଛି ଅନେକ ଉତ୍ସ । ହେଲେ ଏହାର ବିନିଯୋଗ ନ ହେବା ମୁଖ୍ୟ ସମସ୍ୟା । ସରକାର ଆଧୁନିକ ପ୍ରଣାଳୀ ଓ ଜ୍ଞାନକୌଶଳର ଉପଯୋଗ କଲେ ଏହି ମରୁଡିପ୍ରବଣ ଜିଲ୍ଲା ଏକ ନୂଆ ଆଶା ଦେଖିପାରନ୍ତା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ