ବଲାଙ୍ଗୀର:ଶାରଦୀୟ ଦୁର୍ଗା ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ବଲାଙ୍ଗୀର ଜିଲ୍ଲା । ସୁନ୍ଦର ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ରାସ୍ତାଘାଟ । ଦୀର୍ଘ ଦୁଇ ବର୍ଷ ପରେ ବଲାଙ୍ଗୀରରେ ମହାଆଡ଼ମ୍ବରେ ଦୁର୍ଗା ପୂଜା ପାଳନ ହେଉଛି । ସହରର ସବୁ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଛି । ଭବ୍ୟ ମଣ୍ଡପ ସହ ଆକର୍ଷଣୀୟ ମେଢ଼ରେ ସଜେଇ ହୋଇଛନ୍ତି ମା'। ଭିନ୍ନ ଭିନ୍ନ ସୁନ୍ଦର କଳାକୃତି ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।
ବଲାଙ୍ଗୀର ସହରରେ ଏଥର ସବୁ ପୂଜା ମଣ୍ଡପ ମେଢ଼ ଓ ତୋରଣ ସାଜସଜ୍ଜାକୁ ବେଶ ଗୁରୁତ୍ବ ଦିଆଯାଇଛି । ପାରମ୍ପରିକ ଶୈଳୀରେ ସୁନ୍ଦର ତୋରଣ ତିଆରି କରିଛନ୍ତି କାରିଗର । ଜଗନ୍ନାଥ ପଡ଼ାର ଜୁଗାର ଥାଳି ତୋରଣ ବେଶ ଚର୍ଚ୍ଚାରେ ରହିଛି । ଧାନରୁ ତିଆରି ଲିଆ ଜୁଗାରର ଅବିକଳ ତୋରଣ ତିଆରି ହୋଇଛି । ତେବେ ମା'ଙ୍କ ପୂଜା ପାଇଁ ସାଧାରଣତଃ ଲିଆ ଜୁଗାର ବ୍ୟବହାର ହେଉଥିବାବେଳେ, ଅଳ୍ପ ଖର୍ଚ୍ଚରେ ନିଜ ଉଦ୍ୟମରେ ଏହି ବିରାଟକାୟ ଯୁଗାର ତିଆରି କରି ମା'ଙ୍କୁ ସ୍ଥାପିତ କରିଛନ୍ତି ।
ପ୍ରତିଥର ପରି ଏଥର ମଧ୍ୟ ଭିନ୍ନ ଢଙ୍ଗର ତୋରଣ ମେଢ଼ ତିଆରି କରି ପୂଜା କମିଟି ଭକ୍ତଙ୍କ ମନ ଜିଣିଛି । ସମାନ ଭାବରେ ବଲାଙ୍ଗୀର ରାଜେନ୍ଦ୍ର ପଡ଼ା ପୂଜା କମିଟି ମଧ୍ୟ ଏଥର କଳାର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି । ପ୍ରତିଥର ମା'ଙ୍କ ପୂଜା ପାଇଁ ଭିନ୍ନ ପ୍ରକାରର ମେଢ଼ ଓ ତୋରଣ ତିଆରି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି । ତେବେ ଏଥର ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ମନ୍ଦିରର ଅବିକଳ ବିରାଟ ତୋରଣ ତିଆରି କରି କଳାର ନିଖୁଣତା ଦେଖାଇଛନ୍ତି । ସ୍ୱଳ୍ପ ବ୍ୟୟରେ ଏଠିକାର କାରିଗର ନିଜ ଉଦ୍ୟମ ଓ ବୁଦ୍ଧି ବଳରେ ଏହି ତୋରଣ ତିଆରି କରିଛନ୍ତି ।