ବଲାଙ୍ଗୀର: ଦୃଢ ଇଚ୍ଛାଶକ୍ତି ଆଗରେ ସବୁ ବାଧା ବିଘ୍ନ ହାର ମାନିଥାଏ । ଆଉ ସଫଳତା ନିଶ୍ଚୟ ପାଦ ଚୁମି ଥାଏ । ଏକଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଗରିବ ଛାତ୍ର । ଆର୍ଥିକ ଅନାଟନ ମଧ୍ୟ ସଫଳତା ପାଇଛନ୍ତି ବଲାଙ୍ଗୀର ଜିଲ୍ଲାର ଛାତ୍ର ଶିବରାମ ବେହେରା । ଅଣ୍ଡା ବିକାଳିରୁ ସେ ହୋଇଛନ୍ତି ବିଶ୍ବବିଦ୍ୟାଳୟ ଟପ୍ପର । ରାସ୍ତା କଡରେ ଅଣ୍ଡା ବିକ୍ରି କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗରେ ଟପ୍ପର ହୋଇଛନ୍ତି ଶିବରାମ ।
ବଲାଙ୍ଗୀର ଶାନ୍ତିପଡ଼ା ନିବାସୀ ମୋହନ କୁମାର ବେହେରାଙ୍କ ପୁଅ ଶିବରାମ ବେହେରା । ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର । ଶିବରାମ ଶାନ୍ତିପଡା ସ୍କୁଲରେ ପାଠ ପଢି ସାରିବା ପରେ ବଲାଙ୍ଗୀର ପତିତପାବନ ଏକାଡେମୀରୁ ଦଶମ ଶ୍ରେଣୀ ପାସ କରିଥିଲେ । ପରେ ରାଜେନ୍ଦ୍ର କଲେଜରେ ନାମ ଲେଖାଇଥିଲେ। ତେବେ ସେ ଯୁକ୍ତଦୁଇରେ 74 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ପରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଯୁକ୍ତ ତିନି ପଢୁଥିଲେ । ହିନ୍ଦୀ ସ୍ନାତକରେ ସେ ୮୦ ପ୍ରତିଶତ ମାର୍କ ଆଣି ବିଭାଗ ଟପ୍ପର ହୋଇଛନ୍ତି ।
ତେବେ ଶିବରାମଙ୍କ ଏହି ଯାତ୍ରା ଏତେ ସହଜ ନଥିଲା । ଶିବରାମ ଛୋଟ ଥିବା ବେଳୁ ବାପା ମୋହନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଅଣ୍ଡା ବିକ୍ରି କରି ସେ ପରିବାର ପ୍ରତିପୋଷଣ କରୁଥିଲେ । ତେଣୁ ଶିବରାମ ବାପାଙ୍କ କାମରେ ସାହାଯ୍ୟ କରୁଥିଲେ । ହେଲେ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଶିବରାମ ସେହି ଅଣ୍ଡା ଠେଲା ଚଲାଇ ଆସୁଥିଲେ । ସେଥିରୁ ଯାହା ଟଙ୍କା ମିଳୁଥିଲା, ଘର ଚଳାଇ ନିଜ ପଢ଼ା ଖର୍ଚ୍ଚ ଉଠାଉଥିଲେ । ଏହାରି ଭିତରେ ସମୟ କାଢ଼ି ସେ ପାଠ ପଢି ଏହି ସଫଳତା ପାଇଛନ୍ତି । ଆଗକୁ ଜଣେ ଶିକ୍ଷକ କିମ୍ବା ଅଧ୍ୟାପକ ହେବେ ବୋଲି ଶିବରାମ କହିଛନ୍ତି ।