ବଲାଙ୍ଗୀର : ସ୍କୁଲ ଫି ପାଇଁ ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ଘଟଣା । ଏ ମାମଲାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି। ତେବେ ଗତ 27 ନଭେମ୍ବରରେ ବଲାଙ୍ଗୀରର ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଏହି ନିର୍ଯାତନା ସ୍କୁଲ ଦେଇଥିବାର ଅଭିଯୋଗ ହୋଇଥିଲା। ଯେଉଁଥିରେ ସ୍କୁଲ ଫି ଦେଇ ନ ଥିବାରୁ ସମ୍ପୃକ୍ତ ଛାତ୍ରକୁ ପାଠ ପଢ଼ିବାକୁ ସୁଯୋଗ ଦିଆ ନ ଯିବା ସହ ସ୍କୁଲ ବାରଣ୍ଡାରେ ଦୀର୍ଘ ଅଢେଇ ଘଣ୍ଟା ଛିଡା କରାଯାଇଥିଲା। ଏହାର ଅଭିଯୋଗ ହେବା ପରେ ପ୍ରଥମେ ଚାଇଲ୍ଡ ଲାଇନ ଏହାର ତଦନ୍ତ ଆରମ୍ଭ କରିଥିଲା । ଏବଂ ନିର୍ଯାତନା ଦିଆଯାଇଥିବାର ସ୍ପଷ୍ଟ କରିଥିଲା। ଏ ରିପୋର୍ଟକୁ ଆଧାର କରି ବଲାଙ୍ଗୀର ଶିଶୁ ମଙ୍ଗଳ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି।
ସେପଟେ ପୀଡ଼ିତ ଛାତ୍ରଙ୍କ ଅଭିଭାବକ ଶିଶୁ ମଙ୍ଗଳ କମିଟି ନିରପେକ୍ଷ ତଦନ୍ତ କରୁ ନ ଥିବାର ଅଭିଯୋଗ ଆଣିଛନ୍ତି। ଏପରିକି କମିଟିର ଜଣେ ମହିଳା ସଦସ୍ୟ ଓଲଟା ତାଙ୍କୁ ଗାଳି ଗୁଲଜ କରୁଥିବାର ସେ ଅଭିଯୋଗ କରିଛନ୍ତି । ସେହିପରି ମାନସିକ ଚାପରେ ଥିବା ତାଙ୍କ ପୁଅ ଆଉ ସ୍କୁଲରେ ପାଠ ପଢ଼ିବାକୁ ଯାଉ ନ ନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଟିସି ମଧ୍ୟ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ଏନେଇ ନ୍ୟାୟ ପାଇଁ ସେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଏହି ଘଟଣାକୁ ଆଠ ଦିନରୁ ଅଧିକ ବିତି ଥିବାବେଳେ ଚାଇଲ୍ଡ ଲାଇନ ସ୍ପଷ୍ଟ ରିପୋର୍ଟ ଦେଇସାରିଛି।