ଓଡିଶା

odisha

ETV Bharat / state

ହଳଧର ନାଗଙ୍କୁ ଚିହ୍ନିପାରିଲେନି ସାଂସଦ

ସାମ୍ନାରେ ଥିଲେ ପଦ୍ମଶ୍ରୀ। ଚିହ୍ନି ପାରିଲେନି ସାଂସଦ। ନେତାଙ୍କ ଆଗରେ ଅଚିହ୍ନା ହଳଧର। ଯାହା ପାଇଁ ରାଜ୍ୟ ଗୌରବାନ୍ୱିତ, ସାଂସଦଙ୍କ ପାଇଁ ସେ ଅଚିହ୍ନା ଅଜଣା।

By

Published : Mar 18, 2019, 11:55 AM IST

Updated : Mar 18, 2019, 2:58 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ଲୋକଙ୍କୁ ଚିହ୍ନିନାହାଁନ୍ତି ଲୋକପ୍ରତିନିଧି। ସେ ପୁଣି ସାଧାରଣ ଲୋକ ନୁହଁନ୍ତି, ପଦ୍ମଶ୍ରୀ। ଆଉ ତାଙ୍କୁ ଚିହ୍ନିପାରିଲେନି ମୁଖ୍ୟମନ୍ତ୍ରୀଙ୍କ ଖାସ୍ ଲୋକ। ସାଂସଦଙ୍କ ଆଗରେ ଅଚିହ୍ନା ହଳଧର। ଏହି କବିଙ୍କ କବିତାରେ ସାରା ପଶ୍ଚିମ ଓଡିଶା ମନ୍ତ୍ରମୁଗ୍ଧ। ନବୀନ ନିବାସରେ ତାଙ୍କ ଟିକିଏ ଝଲକ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗିଛି ଭିଡ। ହେଲେ ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ଆଗରେ ସେ ଅଜଣା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏ ସାଂସଦ ଜଣକ ହେଉଛନ୍ତି ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ। ଆଉ ତାଙ୍କ ପାଇଁ ଅଜଣା ପାଲଟିଥିବା ଏହି ବିଶିଷ୍ଟ ବ୍ୟକ୍ତି ଜଣକ ଥିଲେ ପଦ୍ମଶ୍ରୀ ହଳଧର ନାଗ। ରବିବାର ନବୀନ ନିବାସରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ। ଗଣମାଧ୍ୟମଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର ଥିଲା। ଆଉ ଏହାର ଠିକ କିଛି ସମୟ ପୂର୍ବରୁ ପୋଡିୟମ ପାଖରେ ଘେରି ରହିଥିଲେ ଦଳର ବହୁ ବରିଷ୍ଠ ନେତା ଓ ପଶ୍ଚିମ ଓଡିଶାର କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ଏମାନଙ୍କ ମଧ୍ୟରେ ଥିଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଅନଙ୍ଗ ଉଦୟ ସିଂହଦେଓ ଏବଂ ଦୁଇ ଦାବି ନେଇ ଆସିଥିବା ପଦ୍ମଶ୍ରୀ ହଳଧର ନାଗ।

ପୋଡିୟମକୁ ଲାଗି ଡାହାଣ ପାର୍ଶ୍ୱରେ ଛିଡା ହୋଇଥିଲେ ହଳଧର। ହେଲେ ତାଙ୍କୁ ଚିହ୍ନିନଥିଲେ ସାଂସଦ ଅନଙ୍ଗ ଉଦୟ ସିଂହଦେଓ। ଗଣମାଧ୍ୟମକୁ ହସହସ ମୁହଁରେ ସାମ୍ନା କରୁଥିବା ହଳଧରଙ୍କୁ ବାରମ୍ବାର ଅଜଣା ଦୃଷ୍ଟିରେ ଦେଖୁଥାନ୍ତି ଅନଙ୍ଗ। ବୋଧହୁଏ ଏତେ ବଡ ବଡ ନେତାଙ୍କ ଉପସ୍ଥିତି ସତ୍ତ୍ୱେହଳଧରଙ୍କ ଉପରେ ଗଣମାଧ୍ୟମର ଫୋକସକୁ ହଜମ କରିପାରୁନଥିଲେ ସାଂସଦ ମହୋଦୟ। କିଏ ଇଏ, ନୂଆ ଧୋତି କୁର୍ତ୍ତା ପିନ୍ଧିଛି, କଳା ଚଷମା ଲଗାଇଛି, ହସ ହସ ମୁହଁରେ ସାମ୍ନାକୁ ଦେଖୁଛି, ଏମିତି କିଛି ପ୍ରଶ୍ନ ସାଂସଦଙ୍କ ମନରେ ଗୋଳମାଳ କରୁଥିବ ନିଶ୍ଚୟ।

ନିଜ ପାଇଁ ଅଜଣା ଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପାଖରେ ଥିବା ସାଥୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହାୟତା ନେଇଥିଲେ ଅନଙ୍ଗ। ନିଜ ଭାଷାରେ ପଚାରିଥିଲେ, କିଏ ଇଟା(କିଏ ଇଏ)। ଆଉ ପ୍ରସନ୍ନ ଉଭୟଙ୍କୁ ପରସ୍ପର ସହ ପରିଚୟ କରାଇଥିଲେ। ମହାନତାର ପରିଚୟ ଦେଇ ହଳଧର ସାଂସଦଙ୍କୁ ବିନମ୍ରତାର ସହ ଜୁହାର(ନମସ୍କାର) କରିଥିଲେ। ଆଉ ସାଂସଦଙ୍କୁ ଦେଖି କହିଥିଲେ, ଜାନିଛେଁ ଆଜ୍ଞା(ଜାଣିଛି)। ଏଦୃଶ୍ୟ ସୂଚାଉଥିଲା ସାଂସଦ ସିନା ହଳଧରଙ୍କୁ ଜାଣିନଥିଲେ, କିନ୍ତୁ ହଳଧର ବେଶ ଭଲଭାବରେ ଅନଙ୍ଗଙ୍କୁ ଚିହ୍ନିଛନ୍ତି।

ସାଧାରଣତଃ କୁହାଯାଏ, ନିର୍ବାଚନ ପରେ ଭୋଟରଙ୍କୁ ଭୁଲି ଯାଆନ୍ତି ନେତା। କିନ୍ତୁ ଭୋଟରଟିଏ ଯାହାକୁ ଭୋଟ ଦିଏ ସେ କେବେ ତା ନେତାଙ୍କୁ ଭୁଲିନଥାଏ। ଯାହାର ଜ୍ୱଳନ୍ତ ଉଦହରଣ ରବିବାର ନବୀନ ନିବାସରେ ଦେଖିବାକୁ ମିଳିଥିଲା। ଲୋକସମ୍ପର୍କକୁ ରାଜନୀତିରେ ସବୁଠୁ ଶୀର୍ଷ କହି ଡିଣ୍ଡିମ ପିଟୁଥିବା ନେତାଙ୍କ ବାସ୍ତବତା ବି ଏଠି ଜଣାପଡିଥିଲା। ରାଜ୍ୟସଭା ସାଂସଦ ହୋଇ ମଧ୍ୟ ସାରା ଦେଶରେ ରାଜ୍ୟକୁ ଗୌରବାନ୍ୱିତ କରିଥିବା ହଳଧରଙ୍କୁ ଚିହ୍ନିନପାରିବାର କାରଣ କ’ଣ ବା ହୋଇପାରେ?

ହଳଧରଙ୍କ କଳାଚଷମା ନା ଅନଙ୍ଗଙ୍କ କଳାପ୍ରତି ଅରୁଚି? ଓଡିଶାର ଏହି ବିଶିଷ୍ଠ ବ୍ୟକ୍ତିଙ୍କୁ ଜଣେ ଓଡିଆ ସାଂସଦ କେମିତି ଚିହ୍ନପାରିଲେନି। ସତରେ କଳାପ୍ରତି ଆମ ନେତାଙ୍କ ଆନ୍ତରିକତା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ କି?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 18, 2019, 2:58 PM IST

ABOUT THE AUTHOR

...view details