ଓଡିଶା

odisha

ETV Bharat / state

ଶବ ବ୍ୟବଚ୍ଛେଦ ଗୃହ ବେହାଲ, ତାତିଲେ ବଲାଙ୍ଗୀରବାସୀ

ଭୀମ ଭୋଇ ମେଡିକାଲ କଲେଜ ସ୍ଥାପିତ ହେବା ପରେ ଅନେକ ବିକାଶ କାମ ଆଗେଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାକାର ଶବ ଗୃହର କୌଣସି ଉନ୍ନତିକରଣ ହୋଇପାରିନାହିଁ । ଯାହାର ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଲୋକେ ।

By

Published : Jun 3, 2019, 5:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜ ସ୍ଥାପିତ ହେବା ପରେ ଅନେକ ବିକାଶ କାମ ଆଗେଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାକାର ଶବ ଗୃହର କୌଣସି ଉନ୍ନତି କରଣ ହୋଇପାରିନାହିଁ । ପରିସ୍ଥିତି ଏପରି ଅଛି ଯେ, ଏଠାକାର ସବୁ ମୃତଦେହ ରଖିବା ଫ୍ରିଜର ଖରାପ ହୋଇ ପଡିରହିଛି । ଫଳରେ ମୃତଦେହ ଏଠି ପଚିସଢି ଯାଉଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଲିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ଏହିପରି ଗତ ରାତିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଯୁବକର ମୃତଦେହ ରଖିବାକୁ ନେଇ ଏଠି ତୁମୁଳ କାଣ୍ଡ ଭିଆଇ ଥିଲେ ତାଙ୍କ ପରିଜନ ଓ ସାଧାରଣ ଲୋକ । ସୂଚନା ଅନୁସାରେ, ଗତ ସନ୍ଧ୍ୟାରେ ବଲାଙ୍ଗୀର ହାଥୀସାଲ ପଡାର ଯୁବକ ବୁଲୁ ବାଘଙ୍କ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସେ ଗୁରୁତର ଥିବାବେଳେ ତାଙ୍କୁ ପ୍ରଥମେ ସୁବର୍ଣ୍ଣପୂର ଜିଲ୍ଲା ତରଭା ଡାକ୍ତରଖାନାରେ ଭର୍ତ୍ତି କରାଇବା ପରେ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।

ତେବେ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନେଇଥିଲା । ହେଲେ ଏଠାରେ ଶବ ଗୃହରେ ଥିବା ଅବ୍ୟବସ୍ଥା ଓ ଅଚଳ ହୋଇ ପଡିଥିବା ଫ୍ରିଜର ଯୋଗୁଁ ଶବ ରଖିବାକୁ ନେଇ ସମସ୍ୟା ଦେଖା ଦେଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ତଥା ମୃତକଙ୍କ ପରିଜନ ମାନେ ହଙ୍ଗାମା କରିଥିଲେ । ଦୀର୍ଘ ସମୟ ଧରି ବଲାଙ୍ଗୀର-ଖୋର୍ଦ୍ଧା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ତେବେ ଶବ ଗୃହର ସବୁ ଫ୍ରିଜ ସଜଡା ଯିବାର ପ୍ରତିଶ୍ରୁତି ସହ ଯୁବକର ମୃତଦେହ ରଖିବାକୁ ଫ୍ରିଜର ବ୍ୟବସ୍ଥା ପରେ ଏହି ଆନ୍ଦୋଳନ ଶାନ୍ତ ପଡିଥିଲା ।

ସେପଟେ ଏସବୁ ଅବ୍ୟବସ୍ଥା ପାଇଁ ଲୋକେ ସ୍ଥାନୀୟ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏଠାରେ ଦିନକୁ 6 ରୁ 7 ଟି ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଥିବା ବେଳେ ଏସବୁକୁ ରଖିବା ପାଇଁ ତୁରନ୍ତ ସବୁ ଫ୍ରିଜରକୁ ଠିକ କରିବାର ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details