ଓଡିଶା

odisha

ETV Bharat / state

ଦାରିଦ୍ର୍ୟ ଦୁଃଖ, ଅର୍ଥାଭାବରୁ ମେଡିକାଲରେ ପଡିରହିଲା ମୃତଦେହ

ଦାରିଦ୍ର୍ୟ କୁଠାର ଘାତରେ ଅସମର୍ଥ ହେଲା ବାପା । କରି ପାରିଲାନି ପୁଅର ଅନ୍ତିମ ସଂସ୍କାର । ଭୀମଭୋଇ ମେଡିକାଲ କଲେଜରେ ତିନି ବର୍ଷ ପୁଅର ମୃତ୍ୟୁ ହେବା ପରେ ଅର୍ଥାଭାବରୁ ମେଡିକାଲରୁ ମୃତଦେହ ନେଇ ପାରି ନଥିଲେ ବାପା ଦେବା ମାଝୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Sep 18, 2019, 10:45 PM IST

ବଲାଙ୍ଗୀର: ପୁଣି ଦାରିଦ୍ର୍ୟର କରାଳ ଚିତ୍ର ଦେଖିବାକୁ ମିଳିଛି ଜିଲ୍ଲାରେ । ଯେଉଁଥିରେ ଏକ ଗରିବ ବାପା ନିଜ ପୁଅର ଅନ୍ତିମ ସଂସ୍କାର କରିପାରି ନାହିଁ । ମୃତଦେହ ଧରି ବାପା ଦିନ ସାରା ଡାକ୍ତରଖାନାରେ ପଡି ରହିଥିବା ବେଳେ ଏକ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ପୁଅର ଅନ୍ତିମ ସଂସ୍କାର ପାଇଁ ସାହାଯ୍ୟ କରିଛି । ଏ କଥା ହେଉଛି ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ଗରିବ ଦେବା ମାଝୀଙ୍କର ।

ପୁଅର ସତ୍କାର କରିବାରେ ଅକ୍ଷମ ବାପା

ଲାଠୋର ଦେବା ମାଝୀ ତାଙ୍କର 3 ବର୍ଷର ପୁଅ ଅସୁସ୍ଥ ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ହେଲେ ଗରିବ ଦେବା ପାଖରେ ଟଙ୍କା ନ ଥିବାରୁ ସେ ପୁଅର ମୃତଦେହ ଗାଁକୁ ନେବା ତ ଦୂରର କଥା ସତ୍କାର କରିବା ପାଇଁ ମଧ୍ୟ ଅସମର୍ଥ ଥିଲେ । ତେବେ ପୁଅର ମୃତଦେହ ଧରି ଦିନସାରା ଡାକ୍ତରଖାନାରେ ପଡି ରହିଥିଲେ ଦେବା । ଖବର ପାଇ ଏକ ସ୍ବେଚ୍ଛାସେବୀ ସଂଗଠନ ‘ବିଙ୍ଗ ହ୍ୟୁମାନ’ ଫାଉଣ୍ଡେସନ ଆଗକୁ ଆସିଥିଲା । ଦେବାଙ୍କୁ ନିଜ ଗାଁ ରଣ୍ଡାକୁ ପହଁଞ୍ଚାଇ ପୁଅର ସତ୍କାର କରିବାରେ ସାହାଯ୍ୟ କରିଥିଲେ । ତେବେ ଦେବାଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ସରକାରଙ୍କୁ ଅପିଲ କରିଥିଲା ଏହି ସଂଗଠନ ।

ଲାଠୋରର ଏହି ଦେବା ମାଝୀ ଦାଦନ ତଥା କୁଲି ମଜୁରୀ କରି ନିଜ ପରିବାର ପୋଷଣ କରୁଥିଲେ । ଦାରିଦ୍ର୍ୟର କଷାଘାତରେ ଦୁଇ ମାସ ପୂର୍ବରୁ ସେ ନିଜ ସ୍ତ୍ରୀଙ୍କୁ କର୍କଟ ରୋଗରେ ହରାଇଥିଲେ । ଆଉ ଏବେ ନିଜ ମା ଛେଉଣ୍ଡ ଦୁଇ ପୁଅ ମଧ୍ୟରୁ ସାନ ପୁଅକୁ ମଧ୍ୟ ହରାଇଛନ୍ତି । ତେବେ ଅସହାୟ ଦେବା ନିଜ ବଡ ପୁଅକୁ କୌଣସି ଆଶ୍ରମରେ ରଖାଇ ଦେବାକୁ ଅନୁରୋଧ କରିଛନ୍ତି ।

ଗରିବଙ୍କ ପାଇଁ ଉଦ୍ଧିଷ୍ଟ ସରକାରଙ୍କ ମାଳ ମାଳ ଯୋଜନା ଲୋକଙ୍କ ନିକଟରେ ପହଁଞ୍ଚି ପାରୁନାହିଁ । ଗରିବ ଆହୁରି ଗରିବ ହୋଇ ଚାଲିଛି ଆଉ ସରକାର କେବଳ ଯୋଜନା ଉପରେ ଯୋଜନା କରୁଛନ୍ତି । ଯାହା ଦେବା ମାଝୀଙ୍କ କରୁଣ କାହାଣୀରୁ ସ୍ପଷ୍ଟ ହୋଇ ପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details