ବଲାଙ୍ଗୀର: ସୋମବାର ରାତିରେ କଳାହାଣ୍ଡି ଜିଲ୍ଲାରେ ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ତେବେ ଆହତ ପୋଲିସ କର୍ମୀ ଜଣେ ଡିଏସପି ହୋଇଥିବା ବେଳେ ତାଙ୍କଠାରେ ଗୁଳି ଲାଗି ସେ ଆହତ ହୋଇଥିଲେ । ସେପଟେ ତାଙ୍କୁ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଡାକ୍ତରଖାନା ଓ ପରେ ଏବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଜଣା ପଡ଼ିଛି । ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅନ୍ୟ ସ୍ଥାନକୁ ନିଆଯିବ ବୋଲି ଜଣାପଡିଛି ।
ତେବେ ଗତକାଲି (ସୋମବାର) ରାତିରେ କଳାହାଣ୍ଡି ପୋଲିସ ମଦନପୁର ରାମପୁରସ୍ଥିତ ଟେପେରେଙ୍ଗା ଜଙ୍ଗଲରେ କୁମ୍ବିଂ ଅପରେସନ କରିଥିଲା । ସେଠାରେ ପୋଲିସ ମାଓବାଦୀ ସହ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କଠାରୁ AK-୪୭ ମଧ୍ୟ ଜବତ ହୋଇଥିଲା । ତେବେ ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ । ଆହତ ପୋଲିସ କର୍ମୀ ହେଉଛନ୍ତି କଳାହାଣ୍ଡି ଡିଏସପି ଅତୁଲକୃଷ୍ଣ ଦାସ । ତାଙ୍କର ଡାହାଣ ଗୋଡ ପାଦରେ ଗୁଳି ଲାଗିଥିଲା । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ଭବାନୀ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।