ବଲାଙ୍ଗୀର: ଅଶୁଭ ଶନିବାର । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣା ଘଟିବା ସହ ବହୁ ଲୋକଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ତୁରେକେଲା ନିକଟରେ ଏକ ପିକ୍ଅପ୍ ଭ୍ୟାନ ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହେବାସହ ମା ଗୁରୁତର ହୋଇଛନ୍ତି ।
ମୃତକ ଜଣକ ହେଲେ ତୁରେକେଲା ଗାଁର ସମିର ପାତ୍ର ଏବଂ ତାଙ୍କ ମା’ ପ୍ରେମଲତା ପାତ୍ର । ଉଭୟ ବୌଦ୍ଧ ଜିଲ୍ଲାର କଣ୍ଟାମାଳରୁ ବାଇକ ଯୋଗେ କଣ୍ଟାବାଞ୍ଜି ରାସ୍ତା ଦେଇ ଘରକୁ ଫେରୁଥିଲେ । କିନ୍ତୁ ଘରକୁ ପହଞ୍ଚିବାର ୩ କିଲୋମିଟର ପୂର୍ବରୁ ଏକ ପିକଅପ ଗାଡି (ସିଜି ୦୪ ଏଲଏଚ ୦୨୭୯) ସେମଲା ଛକ ପାଖରେ ତାଙ୍କୁ ଧକ୍କା ଦେଇଥିଲା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଏକ ଚାଷ ଜମି ଭିତରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ସମ୍ପର୍କରେ ଖବର ପାଇଁ ଗାଁ ଲୋକ ପହଞ୍ଚି ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝି, ତୁରେକେଲା ବିଡିଓ ପ୍ରଭାତ କୁମାର ସାହୁ, ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ରହିବା ସହ ଦୁର୍ଘଟଣା ଘଟାଇଥିବା ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ