ବଲାଙ୍ଗୀର: 57 ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଆଜିଠାରୁ ଆରମ୍ଭ ହୋଇଛି ଟୋଲ ଆଦାୟ । ତେବେ ଏହାକୁ ବିରୋଧ କରି ଆଜି ବଲାଙ୍ଗୀରର ସବୁ ସଂଗଠନ ବିରାଟ ଆନ୍ଦୋଳନ କରିଛନ୍ତି। ଟୋଲ ଗେଟ୍ ଫି ବନ୍ଦ ଦାବିରେ ଏକଜୁଟ ହୋଇଛନ୍ତି ଜିଲ୍ଲାର ସମସ୍ତ ଛାମୁଆ ସଂଗଠନ। ବସ୍, ଟ୍ରକ୍, ବଣିକ, ଓକିଲ ସଂଘଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ରାଜନୈତକ ଦଳ ସାମିଲ।
ଟୋଲ୍ ଫି ଆଦାୟ ବିରୋଧରେ ବଲାଙ୍ଗୀରର ସମସ୍ତ ସଂଗଠନ ଜନସାଧାରଣ ଆନ୍ଦୋଳନ ଓ ଚାପ ଯୋଗୁ ଟୋଲ ଆଦାୟ ବନ୍ଦ ହୋଇଯାଇଛି। ଲୋକଙ୍କ ଆଗରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇବା ସହ ଟୋଲ ଫି ଆଦାୟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲ୍ଲା ବନବାହାଲ ଟୋଲ୍ ଗେଟରେ। କୋରୋନା ସମୟରୁ ପଛୁଆ ଜିଲ୍ଲା ତଥା ଶିଳ୍ପବିହିନ ଜିଲ୍ଲା ବଲାଙ୍ଗୀର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି । ଏହାସହ ସବୁ ପ୍ରକାର କର ଦିଆଯାଉଥିବା ପରେ ଟୋଲ ଫି ଆଦାୟକୁ ସହଜରେ ଗ୍ରହଣ କରି ପାରିଲେନି ଜିଲ୍ଲାବାସୀ।
ବିଜୁଳି ଦର ବୃଦ୍ଧି ପରେ ଟୋଲ ଫି ଆଦାୟ ନିଷ୍ପତି ଲୋକଙ୍କ ଉପରେ ନଳିତା ବିଡା ସଦୃଶ। ତେଣୁ ଏହା ଉଗ୍ରରୂପ ନେଇ ଟୋଲ ଗେଟ୍ ବନ୍ଦ କରି ଆନ୍ଦୋଳନ କରିବା ପରେ ପ୍ରଶାସନ ମୁଣ୍ଡ ନୁଆଁଇଲା। ତେବେ ଆଗାମୀ ଦିନରେ ଫି ଆଦାୟ ନିଷ୍ପତ୍ତି ନେଲେ ପୁଣି ଆନ୍ଦୋଳନ କରାଯିବ । ରାଜ୍ୟର ପଛୁଆ ଓ ଅନୁନ୍ନତ ଜିଲ୍ଲା ହେଉଛି ବଲାଙ୍ଗୀର । ତେଣୁ ଆରମ୍ଭରୁ ଟୋଲ୍ ଫି ଆଦାୟକୁ ବିରୋଧ କରି ସହରର ବିଭିନ୍ନ ସଙ୍ଗଠନ ଏକ ବୈଠକ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଥିଲେ। ଏହା ସତ୍ତ୍ବେ କିଛି ସୁଫଳ ନମିଳିବାରୁ ଆଜି ସମସ୍ତ ସଙ୍ଗଠନ ଟୋଲ ଗେଟ୍ ନିକଟରେ ଆନ୍ଦୋଳନ କରିଥିଲେ।
ଦୀର୍ଘ ସମୟର ଧାରଣା ପରେ ସାମୟିକ ଭାବେ ବଲାଙ୍ଗୀର ଗାଡ଼ିକୁ ଫି ଛାଡ଼ ପାଇଁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ। ଏହାପରେ ଆନ୍ଦୋଳନରୁ ହଟିବା ସହ ଗାଡ଼ି ମଟର ଯିବା ଆସିବା କରିଥିଲା ମାତ୍ର ଜିଲ୍ଲା ପ୍ରଶାସନର ପ୍ରତିଶୃତି ନେଇ କଂଗ୍ରେସ ଖୁସି ନାହିଁ। ସାମୟିକ ପରିବର୍ତ୍ତେ ସମ୍ପୁର୍ଣ୍ଣ ଫି ଛାଡ଼ କରିବାକୁ ଦାବି ହୋଇଛି। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବା ସହ ଟୋଲ ଗେଟ୍ ଭାଙ୍ଗି ଦେବା ପାଇଁ ଚେତାବନୀ ଦିଆଯାଇଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ