ବଲାଙ୍ଗୀର: ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଛି ବନ୍ଦେ ଉତ୍କଳ ଜନନୀ । ଓଡ଼ିଆରେ ଉଭୟ ନବମ ଓ ଦଶମ ଶ୍ରେଣୀରେ ପଢ଼ାଯିବ । ସେପଟେ ଏହି ସଙ୍ଗୀତକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବାକୁ ନେଇ ତୀବ୍ର ବିରୋଧ କରିଛି କୋଶଳ ସମନ୍ବୟ ସମିତି । ସଙ୍ଗଠନ ପକ୍ଷରୁ ଏନେଇ ଆସନ୍ତା 29 ତାରିଖରେ କୋଶଳ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି ।
ସୂଚନାଥାଉ କି, କୋଶଳ ସମନ୍ବୟ ସମିତି ଦୀର୍ଘ ବର୍ଷ ହେବ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆନ୍ଦୋଳନ କରୁଛି । ରାଜ୍ୟ ସରକାରଙ୍କ ଏକଚାଟିଆ ପଦକ୍ଷେପ ଯୋଗୁଁ ସବୁବେଳେ କୋଶଳ ଅଞ୍ଚଳକୁ ଉପେକ୍ଷା କରାଯାଉଥିବା ସମିତି ଅଭିଯୋଗ କରିଛି । କୋଶଳ ସମନ୍ବୟ ସମିତିର କହିବା ଅନୁଯାୟୀ, ରାଜ୍ୟ ସରକାର ବେଆଇନ ଭାବେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ ଜୋର ଜବରଦସ୍ତ ଏଠିକାର ଦୁଇ କୋଟି ଲୋକଙ୍କ ଉପରେ ତାହା ଲଦିବାର କାମ କରୁଛନ୍ତି । ଯାହା ବିରୁଦ୍ଧରେ ସମିତିର ଆନ୍ଦୋଳନ ଜାରି ଥିବାବେଳେ ଏବେ ପୁଣି ଏହି ସଙ୍ଗୀତକୁ ସରକାର ସ୍କୁଲ ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଏହାକୁ ଆମେ ତୀବ୍ର ବିରୋଧ କରୁଛୁ ବୋଲି ସମିତି କହିଛି ।