ବଲାଙ୍ଗୀର: ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ । ଡାକ୍ତରଖାନା ପାଇଖାନାରୁ ନବ ଜାତ ଶିଶୁ ଉଦ୍ଧାର ହୋଇଛି। ଭୀମ ଭୋଇ ମେଡିକାଲ କଲେଜରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ମା' ଫେରାର ହୋଇ ଯାଇଥିବା ଜଣାପଡିଛି। ଏନେଇ ତଦନ୍ତ ଜାରି ରହିଥିବାବେଳେ ଶିଶୁଟିକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେଆର ୟୁନିଟ (SNCU)ରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ପାଇଖାନାରେ ନବଜାତ ଶିଶୁକୁ ଛାଡି ମା' ଫେରାର ହେବା ଘଟଣାକୁ ନେଇ ସବୁଠି ଚାଞ୍ଚଲ୍ୟ ଖେଳି ଯାଇଛି।
ତେବେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଭୀମ ଭୋଇ ମେଡିକାଲ୍ କଲେଜ ଡ଼ାକ୍ତରଖାନାରୁ ଉଦ୍ଧାର କରାଯାଇଛି । କେତେବେଳେ ରାସ୍ତାକଡରେ ତ ଆଉ କେତେବେଳେ ନାଳରୁ ଶିଶୁ ଉଦ୍ଧାର ହେବାର ନଜିର ରହିଛି। ହେଲେ ଆଜି ମେଡ଼ିକାଲ ପାଇଖାନାରୁ ନବଜାତ ଶିଶୁ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଏପରିକି ପ୍ରସବ ପରେ ମହିଳା ପାଇଖାନାରେ ଛୁଆ ଛାଡ଼ି କୁଆଡେ ଛୁ ମାରିଥିବା ଜଣା ପଡ଼ିଛି। ଯାହାକୁ ନେଇ ସବୁଟି ଆଲୋଡନ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଆଜି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମେଡିସିନ ୱାର୍ଡର ପାଇଖାନାରେ ଛୁଆ କାନ୍ଦୁ ଥିବା ଶବ୍ଦ ଆସିଥିଲା। ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ଖବର ପାଇ ମେଡ଼ିକାଲ କର୍ମଚାରୀଙ୍କ ସହାୟତାରେ ନବଜାତ ଶିଶୁକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ପରେ ନବଜାତ ଶିଶୁକୁ SNCUରେ ଭର୍ତ୍ତି ସହ ଅଧିକ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ଶିଶୁ କନ୍ୟାର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।