ବଲାଙ୍ଗୀର:ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର କଣ୍ଟାବାଞ୍ଜି ସ୍ଥିତ ସ୍ତ୍ରୀ ପ୍ରସୂତି ଶିଶୁ ବିଭାଗ ବିରୋଧରେ । ତେବେ କଣ୍ଟାବାଞ୍ଜି ଦାମନ୍ ଡଙ୍ଗା ଗ୍ରାମର ମଦନ ମାଝୀଙ୍କ ସ୍ତ୍ରୀ ପ୍ରସୂତି ପାଇଁ ଗତକାଲି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା । ହେଲେ ଭର୍ତ୍ତି ହେବାର 24 ଘଣ୍ଟା ପରେ ମଧ୍ୟ ପ୍ରସୂତିଙ୍କୁ ଡ଼ାକ୍ତର ଦେଖି ନଥିବାର ତାଙ୍କ ସ୍ଵାମୀ ମଦନ ମାଝୀ ଅଭିଯୋଗ କରିଛନ୍ତି । ଏପରିକି ଡ଼ାକ୍ତର ଶେଷ ପର୍ଯ୍ୟନ୍ତ ନଆସିବାରୁ ସେଠାରେ ଉପସ୍ଥିତ ଥିବା ନର୍ସ ସ୍ତ୍ରୀଙ୍କ ପ୍ରସବ କରାଇଥିଲେ । ଶିଶୁଟି ଜନ୍ମ ହେବା ପରେ ଡାକ୍ତର ଆସି ଶିଶୁ ଦୁର୍ବଳ ଥିବା ହେତୁ ମୃତ୍ୟୁ ହୋଇଥିବାର କହିଥିଲେ । ଏନେଇ ପରିବାର ଲୋକ ସେଠାରେ ହୋହଲ୍ଲା କରିଥିବା ବେଳେ କଣ୍ଟାବାଞ୍ଜି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିଥିଲା ।
ମଦନ ମାଝୀ କହିବା ଅନୁସାରେ ତାଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେବାରୁ ସେ କଣ୍ଟାବାଞ୍ଜି ଡାକ୍ତରଖାନା ଆଣିଥିଲେ । ପତ୍ନୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ତାଙ୍କୁ କହିଦେଇ ଦୀର୍ଘ ସମୟ ଧରି ଡାକ୍ତର ତାଙ୍କ ଚିକିତ୍ସା କରି ନଥିଲେ । କୌଣସି ଡ଼ାକ୍ତର ନଥିବା ବେଳେ ନର୍ସ ପ୍ରସବ କରାଇ ଦେବୁ ବୋଲି କହିଥିଲେ। ତେବେ ଦୀର୍ଘ ସମୟ ଧରି ସେଠାରେ ପଡ଼ି ରହିବା ପରେ ଉପସ୍ଥିତ ନର୍ସ ମଦନଙ୍କ ପତ୍ନୀଙ୍କ ପ୍ରସୂତି କରାଇଥିଲେ । ଏଥି ଯୋଗୁଁ ତାଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଥିବାର ସେ ଅଭିଯୋଗ କରିଛନ୍ତି । ଏଣୁ ନର୍ସ ଏବଂ ଡାକ୍ତରଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।