ବଲାଙ୍ଗୀର:ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି ମମିତା ହତ୍ୟାକାଣ୍ଡ । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଡି ବସିଛନ୍ତି ବିରୋଧି । ବିଜେପି ରାଜରାସ୍ତାରେ ଗର୍ଜନ କରୁଥିବାବେଳେ କଂଗ୍ରେସ ମଧ୍ୟ ନିଜ ସ୍ବର ତେଜିଛି । ମମିତାଙ୍କୁ ନ୍ୟାୟ ଦେବାକୁ ଯାଇ ଦରକାର ପଡିଲେ ପୁନର୍ବାର କଳା କୋର୍ଟ ପିନ୍ଧିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାରକୁ ନ୍ୟାୟ ଦେବା ଦାବିରେ ବିଜେପି ଭଳି କଂଗ୍ରେସ ମଧ୍ୟ ଆନ୍ଦୋଳନ କରୁଛି । ଗତକାଲି(ଗୁରୁବାର) ଜାତୀୟ କଂଗ୍ରେସର ଦୁଇ ବଡ଼ ନେତା ମମିତା ମେହେରଙ୍କ ଗାଁକୁ ଯାଇ ପରିବାରକୁ ସାକ୍ଷାତ କରିଛନ୍ତି । ସେମାନେ ପରିବାର ଲୋକଙ୍କ ସହ ଛିଡା ହୋଇଛନ୍ତି ଓ ତାଙ୍କୁ ନ୍ୟାୟ ଦେବା ପାଇଁ ସବୁ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି । ସେହିପରି ବଲାଙ୍ଗୀର ବିଧାୟକ ତଥା ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ହେଲେ ନିଜେ ପୁଣି କଳା କୋର୍ଟ ପିନ୍ଧିବେ ଓ ତାଙ୍କ ମାମଲା ଲଢିବେ ବୋଲି କହିଛନ୍ତି ।