ବଲାଙ୍ଗୀର: ଜିଲ୍ଲାପାଳ ଓ କଣ୍ଟାବାଞ୍ଜି ବିଧାୟକଙ୍କ ବିବାଦ ତେଜିବାରେ ଲାଗିଛି । ଏନେଇ ଗତକାଲି ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ହଜାର ହଜାର ସମର୍ଥକଙ୍କ ସହ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେପଟେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିବାଦ ତୃତୀୟ ଦିନରେ ଜାରି ରହିଛି ।
ସୂଚନା ମୁତାବକ, ଗତ 12 ତାରିଖରେ ବଲାଙ୍ଗୀର ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ବସିଥିଲା । ସେଠାରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ବ୍ଲକର ବିଜୁ କେବିକେ ଟଙ୍କା ତଥା ଅନ୍ୟାନ୍ୟ ବ୍ଲକ ଗ୍ରାଣ୍ଟ ଅନୁଦାନ ଟଙ୍କାକୁ ଜିଲ୍ଲାପାଳ ମନମୁଖୀ କାଟି ଦେଇଥିବାର ଅଭିଯୋଗ କରିଥିଲେ ବିଧାୟକ । ଏହାକୁ ନେଇ କଥା କଟାକଟି ହେବା ସହ ଉଭୟ ଜିଲ୍ଲାପାଳ ଓ ବିଧାୟକ ମୁହାଁମୁହିଁ ହୋଇଥିଲେ ।
ତେବେ ଏହି ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଯେଉଁଥିରେ ବିଧାୟକଙ୍କ ସମର୍ଥକ 16 ତାରିଖରୁ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ବ୍ଲକରେ ଧାରଣା ଦେଇଥିଲେ । ଗତକାଲି ନିଜେ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗତ 12 ତାରିଖରେ ଜିଲ୍ଲାପାଳଙ୍କ ବେଆଇନ କାର୍ଯ୍ୟକଳାପକୁ ନେଇ ସେ ସ୍ୱର ଉଠାଇଥିଲେ । ଯେଉଁଥିରେ ଦାଦନ ପ୍ରବଣ ଅଞ୍ଚଳ ବା ଅନୁନ୍ନତ ଅଞ୍ଚଳ ପାଇଁ ଆସୁଥିବା ବିଜୁ କେବିକେ ଟଙ୍କା ଜିଲ୍ଲାପାଳ ନିଜ ମନ ମୁତାବକ କାଟି ଦେବା ସହ ଅନ୍ୟ ଅଣ ଦାଦନ ପ୍ରବଣ ବ୍ଳକକୁ ଦେଇଛନ୍ତି । ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ ବୋଲି ବିଧାୟକ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,ବିଧାୟକ ଓ ଜିଲ୍ଲାପରିଷଦ ସଭ୍ୟଙ୍କ ବିନା ଅନୁମତିରେ ତାଙ୍କ ରେକମେଣ୍ଡସନ ଟଙ୍କା ଜିଲ୍ଲାପାଳ ଏପଟ ସେପଟ କରିଛନ୍ତି । କୌଣସି କାମ 5 ଲକ୍ଷରୁ କମରେ ହେବାକୁ ନ ଥିବା ବେଳେ ଜିଲ୍ଲାପାଳ ନିଜ ପଟୁ 30 ରୁ 40 ହଜାରରେ କାମ ବଣ୍ଟନ କରିଥିବା କହିଛନ୍ତି । ଯାହା ସମ୍ପୂର୍ଣ୍ଣ ବେଆଇନ । ଏହା ଛଡା 5ଟି ସ୍କୁଲ ଓ ଉଚ୍ଚ ବିଦ୍ୟାଳୟ ନିର୍ମାଣ ରୂପାନ୍ତରଣ କାମରେ ମଧ୍ୟ ଜିଲ୍ଲାପାଳ ମନମୁଖୀ କାର୍ଯ୍ୟ କରି ଏଯାଏଁ କାମ କରିଥିବା ଲୋକଙ୍କୁ ପ୍ରାପ୍ୟ ମିଳି ନଥିବାର କହିଛନ୍ତି । ଏଥିସହ ଆଗକୁ ଜିଲ୍ଲାପାଳ ବୋଧେ ନିର୍ବାଚନ ଲଢ଼ିବେ ସେଥି ପାଇଁ ସେ ଏଭଳି କାମ କରୁଥିବାର ବିଧାୟକ କହିଛନ୍ତି ।