ବଲାଙ୍ଗୀର: ବିଧାୟକଙ୍କ ଦାଦାଗିରି । ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ କରାଇଲେ ଉଠବସ । କାନଧରି ଶହେ ଥର ଉଠବସ ହେବାକୁ ଦେଲେ ଚେତାବନୀ । 5 ମିନିଟ ଭିତରେ ଉଠବସ ନହେଲେ ସାଧାରଣ ଲୋକଙ୍କ ଦ୍ବାରା ମାଡ ମରାଇବାକୁ ନିର୍ଦ୍ଦେଶ । ସର୍ବସାଧାରଣରେ 3ରୁ 4ଥର ଉଠବସ ହେଲେ ପୂର୍ତ୍ତ ବିଭାଗର ଜଣେ ସହକାରୀ ଯନ୍ତ୍ରୀ । ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ଏଭଳି କାରନାମା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣାଟି ଥିଲା ଏପରି । ବୁଧବାର ସନ୍ଧ୍ୟାରେ ଏକ ରାସ୍ତା କାମର ସମୀକ୍ଷା ପାଇଁ ବେଲପଡା ଗସ୍ତ କରିଥିଲେ ବିଧାୟକ ସରୋଜ ମେହେର । ସାଙ୍ଗରେ ଥିଲେ ରାସ୍ତା କାମର ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ । ବଲାଙ୍ଗୀର ମଣ୍ଡଲଠାରୁ ବେଲପଡା ଯାଏଁ ନିର୍ମାଣ ହେଉଥିବା ରାସ୍ତାକାମ ନିମ୍ନମାନର ହେଉଥିବା କିଛି ଲୋକ ସରୋଜଙ୍କ ପାଖରେ ଅଭିଯୋଗ କରିଥିଲେ । ସମ୍ପୃକ୍ତ ରାସ୍ତାକୁ ଦେଖାଇ ନିମ୍ନମାନ କାମର ପ୍ରମାଣ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ବିଧାୟକଙ୍କ ଦାଦାଗିରି ଷ୍ଟାଇଲ ।
ନିଜେ ରାସ୍ତା ଖୋଳି ଜାଞ୍ଚ କରିଥିଲେ ସରୋଜ । ପରେ ସହକାରୀ ଅଧିକାରୀଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଦବଙ୍ଗଗିରି । ତାଙ୍କୁ ନିମ୍ନମାନର କାମ ନେଇ ହିସାବ ମାଗିଥିଲେ ସରୋଜ । ଶହେଥର ଉଠବସ ହେବାକୁ ବାରମ୍ବାର ଦେଇଥିଲେ ଚେତାବନୀ । ସର୍ବସମ୍ମୁଖରେ ଉଠବସ କରାଇଥିଲେ । ଉଠବସ ନହେଲେ, ସାଧାରଣ ଲୋକ ମାଡ ମାରିବେ ବୋଲି ଚେତାବନୀ ଦେଇଥିଲେ ପାଟଣାଗଡ ବିଧାୟକ । ପୁରା ଘଟଣାର ଭିଡିଓ ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି ।