ଓଡିଶା

odisha

ETV Bharat / state

କାଗଜ କଲମରେ ବନ୍ଦ ରହିଛି ଖଣି, ବେଧଡକ ଚାଲିଛି ଲୁଟ - Balangir

ଜଙ୍ଗଲ ଓ ଖଣିଜ ସମ୍ପଦରେ ଭରପୁର ବଲାଙ୍ଗୀର । ହେଲେ ଏବେ ଏଥିପ୍ରତି ଦେଖାଦେଇଛି ମହାବିପଦ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାଫାଇଟ, ବକ୍ସାଇଟ ମାଙ୍ଗାନିଜ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି। ମାତ୍ର ଏବେ ଏହି ଖଣିଜ ପଦାର୍ଥର ହେଉଛି ହରିଲୁଟ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Feb 12, 2019, 3:40 PM IST

ବଲାଙ୍ଗୀର: ଜିଲ୍ଲାରେ ଚାଲିଛି ଖଣିମାଫିଆଙ୍କ ରାଜ। ହରି ଲୁଟ ହେଉଛି ଖଣିଜ ସମ୍ପଦ। କାଗଜ କଲମରେ ସୀମିତ ରହିଛି ଖଣି ସୁରକ୍ଷା। ହେଲେ ଅସାଧୁ ଖଣି ମାଫିଆ ଓ କିଛି ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଅବାଧରେ ଖଣି ଲୁଟ ହେଉଛି । ସିଧାସଳଖ ରାୟପୁର ଓ କଟକକୁ ବେଆଇନ ଚାଲାଣ ହେଉଛି ଖଣିଜ ସମ୍ପଦ। ନିକଟରେ 5 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ମାଙ୍ଗାନିଜ ଏକ ଟ୍ରକରୁ ଜବତ ହୋଇଥିଲା। ଯାହାକି ଖଣି ଲୁଟ ଘଟଣାକୁ ଆହୁରି ତାଜା କରିଛି।

ବଲାଙ୍ଗୀରର ଗନ୍ଧମାର୍ଦ୍ଦନ ଜଙ୍ଗଲ ଶୃଙ୍ଖଳା, ବେଲପଡା, କଣ୍ଟାବାଞ୍ଜି, ମୁରିବାହାଲ ଓ ତୁରେକେଲା ବ୍ଲକରେ ଥିବା ଜଙ୍ଗଲ ଗୁଡିକରେ ବହୁ ଖଣିଜ ପଦାର୍ଥ ରହିଛି। ସମାନ ଭାବରେ ଶୁକତେଲ ନଦୀ ଅବବାହିକାରେ ଥିବା ଜଙ୍ଗଲ ମଧ୍ୟ ଖଣିଜ ଦ୍ରବ୍ୟରେ ଭରପୁର। ଅଧିକାଂଶ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ ଏଠି ଖଣି ଉତ୍ତୋଳନ ପାଇଁ କାହାରିକୁ ଅନୁମତି ମିଳିନି। ହେଲେ ବେଆଇନ ଭାବରେ ଏଠୁ ବିନା ଦ୍ବିଧାରେ ଚାଲିଛି ଖଣି ଲୁଟ।

ପୂର୍ବରୁ ଜିଲ୍ଲାରେ ଥିବା ଗ୍ରାଫାଇଟ, ବକ୍ସାଇଟ ଓ ମାଙ୍ଗାନିଜ ଖଣିକୁ ଲିଜରେ ଦିଆଯାଇଥିଲା। ହେଲେ ଏବେ ବେଲପଡା ଅଁଏଲାପାଲି ଗ୍ରାଫାଇଟ ଖଣିକୁ ବାଦ ଦେଲେ ଅନ୍ୟସବୁ ପ୍ରାୟତଃ ବନ୍ଦ ରହିଛି। ସମାନ ଭାବରେ ଗନ୍ଧମାର୍ଦ୍ଦନ ଜଙ୍ଗଳ ଶୃଙ୍ଖଳାରୁ ସରକାର ବକ୍ସାଇଟ ଉତ୍ତୋଳନ ପାଇଁ ବାଲକୋ କମ୍ପାନୀକୁ ଲିଜରେ ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପରିବେଶ ମଞ୍ଜୁରୀ ନମିଳିବା ଏବଂ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା ବନ୍ଦ ରହିଛି। ଏପଟେ କିନ୍ତୁ ବେଆଇନ ଭାବରେ ଚାଲିଛି ଖଣି ଉତ୍ତୋଳନ।

ବିଭିନ୍ନ ସମୟରେ ଟ୍ରକ, ଟ୍ରାକ୍ଟର ଓ ପିକ ଅପ ଭ୍ୟାନରେ ଖଣି ଚୋରାଚାଲାଣ ହେଉଥିବାର ଖବର ଆସୁଛି । ହେଲେ ଏହାକୁ ରୋକିବାରେ ଫେଲ ମାରିଛି ବନ ବିଭାଗ। ଖଣିଜ ସମ୍ପଦରେ ଭରପୁର ଥିବା ଜିଲ୍ଲାରେ ଅସାଧୁ ବେପାରୀ ଏବଂ ଅପାରଗ ପ୍ରଶାସନ ପାଇଁ ଗରିବି ସୀମାରେଖା ତଳେ ଛଟପଟ ହେଉଛନ୍ତି ଜିଲ୍ଲାବାସୀ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details